ଘରେ ପଶି ଯୁବକଙ୍କୁ ଆକ୍ରମଣ ଏବଂ ମହିଳାଙ୍କୁ ଅଶାଳୀନ ବ୍ୟବହାର ; ୬ ଅଭିଯୁକ୍ତ ଗିରଫ
କଟକ,୧୧|୨: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣକ ଘରେ ଜୋର ଜବରଦସ୍ତି ପଶି ଆକ୍ରମଣ କରିବା ସହିତ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିବା ନେଇ ୬ଜଣକୁ କଟକ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଉଛନ୍ତି, ଶିଖରପୁର ନଦୀକୂଳସାହିର ଅରୁଣକୁମାର ମହାପାତ୍ର, ରାକେଶ ସ୍ୱାଇଁ, ଶିବୁନା ବେହେରା, ବିକାଶ ସ୍ୱାଇଁ, ଅମରକୁମାର ମହାରଣା, ଏବଂ ମନୋରଞ୍ଜନ ସାହୁ। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ଚିନ୍ତେଶ୍ୱର ମୁଣ୍ଡା ସୂଚନା ଦେଇଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ହୋଇଛିଯେ, ଶିଖରପୁର ନଦୀକୂଳ ସାହି ଏବଂ ତଳସାହି ମଧ୍ୟରେ ବିଭିନ୍ନ ଘଟଣାକୁ କେନ୍ଦ୍ର କରି ଦୀର୍ଘଦିନ ହେବ ବିବାଦ ଲାଗି ରହିଛି । ସୂଚନା ଅନୁଯାୟୀ, ନଦୀକୁଳ ସାହିର ମୁକେଶ ବେହେରା ତଳସାହିର କିଛି ପିଲାଙ୍କୁ ବିବାଦୀୟ ଘଟଣାରେ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ସାହିର ଅପରଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ । ଗତ ସରସ୍ୱତୀ ପୂଜାରେ ଏହି କଥାକୁ ନେଇ ସେମାନେ ମୁକେଶକୁ ତାଗିଦ୍ କରିଥିଲେ, ମାତ୍ର ସେ, ସେମାନଙ୍କ କଥାକୁ ଧ୍ୟାନ ଦେଇ ନଥିଲା ।
ଗତ ସୋମବାର ରାତିପ୍ରାୟ ସାଢ଼େ ୧୦ଟା ଆଡେ ୬ ଅଭିଯୁକ୍ତଙ୍କ ସହ ଆହୁରି ୩ କିମ୍ବା୪ଜଣ ମୁକେଶର ଘରର କବାଟ ବାଡେଇଥିଲେ । ଏବଂ ମୁକେଶ କବାଟ ଖୋଲିବା ମାତ୍ରେ ସମସ୍ତେ ଘରକୁ ପଶିଯାଇ ଅଚାନକ ଭାବେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଭାଇ ମୁକେଶକୁ ମାଡ଼ ମାରୁଥିବା ଦେଖି ଭଉଣୀ ମିଲି ଏହାକୁ ପ୍ରତିବାଦ କରିବା ପାଇଁ ସାମ୍ନାକୁ ଆସିଥିଲେ | କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ । ମାଡ଼ ମାରିବା ସହିତ ଲୁଗା ଚିରାଚିରି କରି ଅଶାଳୀନ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ |
ତେବେ ମିଲି ସେହି ସମୟରେ ଆଉ କିଛି ଉପାୟ ନ ପାଇ ଚିତ୍କାର କରିଥିଲେ | ପାଟି ଶୁଣି ପଡିଶା ଘରର ଲୋକେ ସେଠାକୁ ଚାଲିଆସିଥିଲେ ଏବଂ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ | ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ । ଏଥିରେ ପୁଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣକୁ ଗିରଫ କରିଥିବା ଜଣାପଡିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଚେଷ୍ଟା ଚଳାଇଥିବା ଥାନା ଅଧିକାରୀ ଶ୍ରୀ ମୁଣ୍ଡା ସୂଚନା ଦେଇଛନ୍ତି ।

