Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ବହି ବଦଳରେ ମିଳୁଛି ବନ୍ଧୁକ! ଶିକ୍ଷା ବ୍ୟବସ୍ଥା ବିପଦରେ

ଭୁବନେଶ୍ବର,୧୬|୨: ଆଜିର ଛାତ୍ର ଛାତ୍ରୀ ଭବିଷ୍ୟତର ନାଗରିକ | ଏକ ସୁନ୍ଦର ଭାରତର ଗଠନରେ ରହିବ ସେମାନଙ୍କର ଭୂମିକା | ଯେଉଁ ଦେଶର କିମ୍ବା ରାଜ୍ୟର ଶିକ୍ଷା ଯେତିକି ଉନ୍ନତ ସେ ଦେଶ ସେତିକି ଉନ୍ନତି ପଥରେ ଆଗକୁ ବଢିବ | ଛାତ୍ର ଛାତ୍ରୀ ଯେତିକି ଭଲ ପାଠ ପଢିବେ ସେତିକି ଶିକ୍ଷାର ମାନରେ ଅଭିବୃଦ୍ଧି ମଧ୍ୟ ଘଟିବ | କିନ୍ତୁ ସ୍କୁଲ ଛାତ୍ରଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି | ଯାହା ଶୁଣିଲେ ଆପଣଙ୍କ ପାଦ ତାକୁ ମାଟି ଖସିଯିବ | ସ୍କୁଲ ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ମିଳିଛି | ସେ ପୁଣି କୌଣସି ପ୍ରକାରର ଖେଳନା ବନ୍ଧୁକ ନୁହେଁ ବରଂ ସତସତିକା ବନ୍ଧୁକ | ସୂଚନା ଅନୁସାରେ, ୨୦୨୫ ଡିସେମ୍ବରରେ କେନ୍ଦ୍ରାପଡ଼ାଜିଲ୍ଲା ଗରଦପୁର ବ୍ଲକର କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟ ଏବଂ ଜାନୁଆରି ଶେଷ ସପ୍ତାହରେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ଅଧୀନ ଶ୍ରୀଜଙ୍ଗ ଉଚ୍ଚବିଦ୍ୟାଳୟରେ ଦୁଇଟି ଉଚ୍ଚବିଦ୍ୟାଳୟ ଛାତ୍ରଙ୍କ ପାଖରୁ ବନ୍ଧୁକ ଜବତ ହୋଇଛି। ଯେଉଁ ସମୟରେ ଛାତ୍ରଛାତ୍ରୀ କାନ୍ଧରେ ବ୍ୟାଗ୍‌ ପକାଇ ପାଠ ପଢିବାକୁ ସ୍କୁଲ ଯିବା କଥା ସେତେବେଳେ ବ୍ୟାଗରେ ବନ୍ଧୁକ ଧରି ସ୍କୁଲ ଯାଉଛନ୍ତି | ବହି ବଦଳରେ ବ୍ୟାଗରେ ରହିଛି ବନ୍ଧୁକ! ଖାଲି ସେତିକି ନୁହେଁ,ନିକଟରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ମଦ ପିଇ ବିଦ୍ୟାଳୟ ଆସିଥିବା ଦୁଇଜଣ ସପ୍ତମ ଶ୍ରେଣୀ ଛାତ୍ର ମଧ୍ୟ ଅଚେତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କ ନାମଲେଖା ସଂଖ୍ୟା ହ୍ରାସ ହେଉଥିବା ବେଳେ ଅନ୍ୟପଟେ ପିଲାମାନେ ମଧ୍ୟ ପାଠ ପଢିବାରୁ ମାନ ଫେରାଉଛନ୍ତି | ଏଇ ଲଗାତାର ତିନି ମାସ ହେବ ତିନୋଟି ଜିଲ୍ଲାର ତିନୋଟି ବିଦ୍ୟାଳୟ ଘଟଣା ଅନ୍ୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷାକୁ ନେଇ ଉଠିଛି ବଡ ପ୍ରଶ୍ନ ।

ତେବେ ଉଭୟ କେନ୍ଦ୍ରାପଡ଼ା ଓ ବାଲେଶ୍ବର ଛାତ୍ରଙ୍କ ପାଖରୁ ବନ୍ଧୁକ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କୁ ଟିସି ଦିଆଯାଇ ସ୍କୁଲରୁ ବାହାର କରାଯାଇଛି | କିନ୍ତୁ ଏଭଳି ମାନସିକତା ରୋକିବା ଦିଗରେ ଗଣଶିକ୍ଷା ବିଭାଗ କୌଣସି ପ୍ରକାରର କଠୋର ପଦକ୍ଷେପ ଉଠାଇ ନାହିଁ। ଏନେଇ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ କି ପିଲାଙ୍କୁ ସଚେତନତା ମଧ୍ୟ କରାଯାଇନାହିଁ | ପିଲାଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଏଭଳି ଅପରାଧିକ ମାନସିକତାକୁ ହ୍ରାସ କରିବାକୁ କଠୋର ଆଇନର ଅବଶ୍ୟକତା ରହିଛି ବୋଲି ଶିକ୍ଷାବିତ୍‌ଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତେ ମତ ପ୍ରକାଶ କରିଛନ୍ତି I

ଘଟଣା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାବିତ୍‌ ଶରତ କୁମାର କର କହିଛନ୍ତି ଯେ, ଘରୁ ହିଁ ପିଲାମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ରହିଛି ବାପା ମା’ଙ୍କର ପ୍ରମୁଖ ଭୂମିକା । ସ୍କୁଲ ବ୍ୟାଗ୍‌ରେ ପିଲାମାନେ କ’ଣ ନେଉଛନ୍ତି ମା’ମାନେ ତାହାକୁ ପ୍ରଥମେ ଯାଞ୍ଚ କରିବା ଆବଶ୍ୟକ । ଏମିତି ଅନେକ ଅଭିଭାବକ ରହିଛନ୍ତି ଯେଉଁମାନେ ପିଲାଙ୍କ ବ୍ୟାଗ୍‌ ଯାଞ୍ଚ କରୁନାହାନ୍ତି। ସେ ଆହୁରି କହିଛନ୍ତିଯେ, ସାମାଜିକ ଗଣମାଧ୍ୟମ ଖାସ କରି ୟୁଟ୍ୟୁବ୍‌ରେ ଆଜିକାଲି ଯେଉଁଭଳି ବନ୍ଧୁକ ଚଳାଇବା ସମ୍ପର୍କିତ ଭିଡିଓ ଭାଇରାଲ୍‌ ହେଉଛି ତାହାର କୁପ୍ରଭାବ ମଧ୍ୟ ପିଲାଙ୍କ ଉପରେ ପଡ଼ୁଛି। ତେବେ ଏଥିପାଇଁ କେବଳଯେ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ତାହା ଭୁଲ । ଏଭଳି ସଙ୍ଗୀନ ବିଷୟରେ ଉଭୟ ଅଭିଭାବକ ଓ ସରକାର ସଚେତନ ହେବାର ଅବଶ୍ୟକତା ରହିଛି |

ଅନ୍ୟପଟେ, ଉତ୍କଳ ଅଭିଭାବକ ମହାସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି, ଛାତ୍ରଙ୍କ ପାଖରୁ ବନ୍ଧୁକ ମିଳିବା ବର୍ତ୍ତମାନ ସମୟରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ବିପଦରେ ପକାଇଛି। ଯେଉଁ ବୟସରେ ପିଲାମାନେ ବ୍ୟାଗ୍‌ରେ ବହି ଧରି ବିଦ୍ୟାଳୟ ଆସିବା କଥା ସେତେବେଳେ ବ୍ୟାଗରେ ଆଣୁଛନ୍ତି ବନ୍ଧୁକ | ପିଲାଙ୍କ ମଧ୍ୟରେ ଏଭଳି ମାନସିକତା ତିଆରି ହେଉଛି କିପରି? ଏବେ ବିହାର ରାଜ୍ୟ ଭଳି ଓଡିଶାରେ ମଧ୍ୟ ସମାନ ଧାରା ଆରମ୍ଭ ହୋଇଗଲାଣି | ସେ ରାଜ୍ୟର ପିଲାମାନେ ଯେଉଁଭଳି ବ୍ୟାଗ୍‌ରେ ବନ୍ଧୁକ ଆଣି ଆସୁଛନ୍ତି ଏବେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଲାଣି | ଏନେଇ ଅଭିଭାବକ ସଚେତନ ହୁଅନ୍ତୁ ତାହା ସହିତ ପିଲା କିଭଳି ଭାବେ ପାଠ ପଢ଼ାରେ ମନ ଦେବେ ସେ ନେଇ ଚିନ୍ତା କରନ୍ତୁ | ପିଲାମାନେ କଣ କରୁଛନ୍ତି କାହା ସହିତ ମିଶୁଛନ୍ତି ତାହା ଉପରେ ଗୁରୁତ୍ୱ ଦେବା ଉଚିତ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ