ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ! ଫ୍ରେବୃଆରି ୨୬ରେ ପ୍ରକାଶ ହେବ ବିଜ୍ଞପ୍ତି
ଭୁବନେଶ୍ୱର,୧୮|୨: ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବ। ଏନେଇ ନିର୍ବାଚନ ପାଇଁ ପ୍ରେସ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ECI) | ସୂଚନା ଅନୁସାରେ, ୧୦ଟି ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ହେବ । ଏହି ୩୭ଟି ଆସନ ମଧ୍ୟରେ ଓଡ଼ିଶାର ୪ଟି ସିଟ ରହିଛି | ତେବେ ଫେବୃଆରୀ ୨୬ ତାରିଖରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ସେହିପରି ମାର୍ଚ୍ଚ ୫ରେ ନାମାଙ୍କନ ଦାଖଲର ଶେଷ ତାରିଖ, ଏବଂ ୬ରେ ନାମାଙ୍କନ ଦାଖଲର ଯାଞ୍ଚ ହେବ।
ମାର୍ଚ୍ଚ ୯ରେ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ ଯାଏଁ ରହିବ ଭୋଟ୍ ଗ୍ରହଣ ବ୍ୟବସ୍ଥା । ସେହିପରି ଅପରାହ୍ଣ ୫ଟାରେ ଆରମ୍ଭ ହେବ ଭୋଟ୍ ଗଣତି ପ୍ରକ୍ରିୟା । ସୂଚାନଯୋଗ୍ୟ, ଆସନ୍ତା ଏପ୍ରିଲରେ ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳରେ ସରୁଛି ।
ସେହିପରି ଏପ୍ରିଲରେ ୧୦ଟି ରାଜ୍ୟର ୩୭ ରାଜ୍ୟସଭା ଆସନ ଖାଲି ହେବ। ତେବେ ଏହି ଖାଲି ଆସନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାରେ ୪ଟି, ତାମିଲନାଡୁରେ ୬ଟି, ପଶ୍ଚିମବଙ୍ଗରେ ୫ଟି, ତେଲେଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୬ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଆସନ ସମେତ ହିମାଚଳ ପ୍ରଦେଶର ଗୋଟିଏ ଆସନ ରହିଛି ।
ତେବେ ଏହି ରାଜ୍ୟସଭା ନିର୍ବଚନକୁ ନେଇ ବିଭିନ୍ନ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଗଲାଣି । ଖାଲି ହେବାକୁ ଥିବା ୪ଟି ଆସନରୁ ଗୋଟିଏ ବିଜେଡ଼ିକୁ ମିଳିବାକୁ ସୁନିଶ୍ଚିତ ଥିବା ବେଳେ ୨ଟି ଆସନ ବିଜେପିକୁ ମିଳିବା ନେଇ ସୁନିଶ୍ଚିତ ବୋଲି ଆଲୋଚନା ହେଉଛି | କିନ୍ତୁ ଚତୁର୍ଥ ଆସନ ପାଇଁ ଆରମ୍ଭ ହେବ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ | ସଂଖ୍ୟା ନଥାଇ ମଧ୍ୟ କଂଗ୍ରେସ ରାଜ୍ୟସଭା ଲଢେଇରେ ଏଣ୍ଟ୍ରି କରିବାକୁ ମନସ୍ଥ କରିଛି | ତେବେ ଚତୁର୍ଥ ଆସନକୁ କିଏ କବଜା କରିବ ତାହାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ |

