ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି! ଉଚ୍ଛେଦ କଲେ ମୁସଲମାନମାନଙ୍କ ୫% କୋଟା
ମହାରାଷ୍ଟ୍ର,୧୮|୨: ସାମାଜିକ ଓ ଶିକ୍ଷାଗତ ଭାବରେ ପଛୁଆ ମୁସଲିମ୍ ସମ୍ପ୍ରଦାୟକଙ୍କ କୋଟାକୁ ଉଚ୍ଛେଦ କରିଦେଇଛନ୍ତି ମହାରାଷ୍ଟ୍ର ସରକାର । ଦିଆଯାଇଥିବା ୫% ସଂରକ୍ଷଣକୁ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାର ଘୋଷଣା କରିଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ, ଏହି ବର୍ଗ ଆଉ କୌଣସି ସୁବିଧା ପାଇବାକୁ ଯୋଗ୍ୟ ହେବେ ନାହିଁ । ସୂଚନା ଯୋଗ୍ୟ, ୨୦୧୪ ମସିହାରେ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ଭାବରେ ପଛୁଆ ମୁସଲିମ ସମ୍ପ୍ରଦାୟକୁ ଏହି ସଂରକ୍ଷଣ ଦିଆଯାଇଥିଲା ।
ପୂର୍ବରୁ ଏହି ସଂରକ୍ଷଣକୁ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ଏହା ସହିତ ଜଡିତ କିଛି ପ୍ରକ୍ରିୟା ଓ ପ୍ରଶାସନିକ ନିର୍ଦ୍ଦେଶକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥିଲା। କିନ୍ତୁ ଏବେ ସରକାର ସେହି ସମସ୍ତ ପ୍ରକ୍ରିୟାକୁ ମଧ୍ୟ ଉଚ୍ଛେଦ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ସଂରକ୍ଷଣ ଆଧାରରେ କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ ଏଣିକି ଆଉ ସୁବିଧା ରହିବ ନାହିଁ। ଏହି ବର୍ଗ ଅର୍ନ୍ତଗତ କୌଣସି ନୂତନ ଜାତି ପ୍ରମାଣପତ୍ର କିମ୍ବା ଆଇନଗତ ପ୍ରମାଣପତ୍ର ଜାରି ମଧ୍ୟ କରାଯିବ ନାହିଁ। ତେବେ ପୂର୍ବରୁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶ ଓ ସରକାରୀ ସର୍କୁଲାକୁ ଏବେ ବେଆଇନ ବୋଲି ବିବେଚନା କରାଯିବ ।
ଏହା ସହ, ମହାରାଷ୍ଟ୍ର ସଂଖ୍ୟାଲଘୁ ବିଭାଗର ଉପସଚିବ ମିଲିନ୍ଦ ସେନୋୟଙ୍କୁ ମଧ୍ୟ ବଦଳି କରାଯାଇଛି। ସରକାରୀ ସୂଚନା ମୁତାବକ, ୨୦୧୪ ନିଷ୍ପତ୍ତି ଉପରେ ଆଧାରିତ କୌଣସି ବିଚାରାଧୀନ କିମ୍ବା ଚାଲୁଥିବା ପ୍ରକ୍ରିୟା ଆଉ ଜାରି ହେବ ନାହିଁ। ଏହାକୁ ସମ୍ପୂର୍ଣ୍ଣ ହୋଇଥିବା ବୋଲି ବିବେଚନା କରାଯିବ । ତେବେ ଜୁଲାଇ ୨୦୧୪ରେ, ଏକ ଅଧ୍ୟାଦେଶ ଦ୍ୱାରା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ମୁସଲମାନମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଏହି ଅଧ୍ୟାଦେଶକୁ ନେଇ ମୁମ୍ବାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମାତ୍ର ଚାରି ମାସ ମଧ୍ୟରେ ଏକ ସ୍ଥଗିତାଦେଶ ଜାରି କରାଯାଇଥିଲା। ୨୩ ଡିସେମ୍ବର ୨୦୧୪ ସୁଦ୍ଧା ଏହି ଅଧ୍ୟାଦେଶ ଆଇନରେ ପରିଣତ ନହେବାରୁ, ଏହା ସ୍ୱୟଂଚାଳିତ ଭାବରେ ସ୍ଥଗିତ ହୋଇଯାଇଥିଲା ।
ଏହାପରେ,ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ରାଜ୍ୟ ସଭାପତି ଇମତିଆଜ୍ ଜଲିଲ୍ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି । ଏନି ଇମତିଆଜ ଜଲିଲ୍ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲର ଏକ୍ସରେ ଏକ ପୋଷ୍ଟ କରିଛନ୍ତି | ଯେଉଁଥିରେ ସେ ଲେଖିଛନ୍ତି, ମହାରାଷ୍ଟ୍ର ସରକାର ମୁସଲମାନମାନଙ୍କୁ ରମ୍ଜାନ୍ ଅବସରରେ ସଂରକ୍ଷଣ ଉଚ୍ଛେଦ ଘୋଷଣା କରି ଉପହାର ଦେଇଛନ୍ତି । ହାଇକୋର୍ଟ ମୁସଲମାନମାନଙ୍କ ମଧ୍ୟରେ ଅଧାରୁ ପାଠ ଛାଡ଼ିବା ହାର ସବୁଠାରୁ ଅଧିକ ଥିବା କାରଣରୁ ଏହି ସଂରକ୍ଷଣ ଲାଗୁ କରିଥିଲେ। କିନ୍ତୁ ଏବେ ସରକାର ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ଉଚ୍ଛେଦ ଘୋଷଣା କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ପରେ ଆମେ ଆମର ପୁଅ ଓ ଝିଅମାନଙ୍କୁ ପାଠପଢ଼ା ଅଧାରେ ନ ଛାଡ଼ିବାକୁ ଆଉ କହିପାରିବୁ କି? ସରକାରଙ୍କ ପଢ଼େଗା ଇଣ୍ଡିଆ ତୋ ବଢ଼େଗା ଇଣ୍ଡିଆ ସ୍ଲୋଗାନ୍ ଏବେ ଅର୍ଥହୀନ ହୋଇପଡିବ ବୋଲି ସେ କହିଛନ୍ତି |

