ସମ୍ପର୍କୀୟଙ୍କ ଅମାନବୀୟ କାଣ୍ଡ! ମା’ ଏବଂ ଦୁଇ ବର୍ଷର ଝିଅଙ୍କୁ ଜାଳିଦେଲେ
ରାଞ୍ଚି,୧୯ା୨: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା କାଲାଇୟା ଗ୍ରାମରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି | ଯାହା ବିଷୟରେ ଶୁଣିଲେ ଯେ କେହି ବି ସ୍ତବ୍ଧ ହୋଇଯିବ | ଯେଉଁଠି ପରିବାର ସଦସ୍ୟ ଭଲ ମନ୍ଦରେ ପାଖରେ ଛିଡା ହେବା କଥା ସେଠି ସେମାନେ ଶତ୍ରୁ ଠାରୁ ବି ଅଧିକ ନୃସଂଶ ବ୍ୟବହାର କରନ୍ତି | ଏଭଳି ଏକ ଅମାନବୀୟ ଘଟଣା ଘଟିଛି ପଶ୍ଚିମ ସିଂହଭୂମିର କଲାଇୟା ଗାଁରେ | ଯେଉଁଠି ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ନିର୍ମମ ଭାବେ ହତ୍ୟା କରିଛନ୍ତି।
ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି | ଏହି ହତ୍ୟା ଘଟଣାରେ ମହିଳାଙ୍କ ସ୍ବାମୀ ୪୦ ବର୍ଷୀୟ କୋଲ୍ହାନ୍ ସିଙ୍କୁ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ତାଙ୍କ ଶରୀରର ଅନେକ ଭାଗ ଜଳିଯାଇଛି। ତାଙ୍କ କହିବା ଅନୁସାରେ, ତାଙ୍କ ସ୍ତ୍ରୀ ଜ୍ୟୋତି ଏବଂ ସେମାନଙ୍କ ପିଲାମାନେ ଘରେ ଶୋଇଥିବାବେଳେ କେତେଜଣ ସମ୍ପର୍କୀୟ ତାଙ୍କୁ ବାହାରକୁ ଡାକିଥିଲେ। ତେବେ ବାହାରେ ପ୍ରାୟ ୧୨ ଜଣ ପୁରୁଷ ଓ ମହିଳାଙ୍କୁ ଦେଖି ଜ୍ୟୋତି ଭୟଭୀତ ହୋଇଯାଇଥିଲେ। ସେମାନେ ତାଙ୍କୁ ଡାହାଣୀର ଆଖ୍ୟା ଦେଇଥିଲେ। ଏହି ସମୟରେ କୋଲ୍ହାନ୍ଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ସେ ଭିଡ଼କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, ଏହା କହି ଯେ ଆସନ୍ତାକାଲି ସକାଳେ ପଞ୍ଚାୟତରେ ଏହି ମାମଲାର ସମାଧାନ ହେବ, କିନ୍ତୁ ସେମାନେ ଶୁଣିବାକୁ ପ୍ରସ୍ତୁତ ନଥିଲେ। କିଛି ବ୍ୟକ୍ତି ପେଟ୍ରୋଲ ଆଣି ପରିବାର ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ଜ୍ୟୋତି ଏବଂ ତାଙ୍କ ନବଜାତ ଶିଶୁ ନିଆଁରେ ପୋଡ଼ିଯାଇ ଏବଂ ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲେ। କିନ୍ତୁ କୋଲହନ୍ ତାଙ୍କ ପୋଷାକ କାଢ଼ି ଖସି ପଳାଇବାରେ ସଫଳ ହୋଇଥିଲେ | ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟମାନଙ୍କ ପରିଚୟ ଖୋଜିବା ସହିତ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍ପି ଅମିତ୍ ରେଣୁ ସୂଚନା ଦେଇଛନ୍ତି।

