ବିବାହ ପୂର୍ବ ଯୌନ ସମ୍ପର୍କ ଉଚିତ କି? ଜାଣନ୍ତୁ ସୁପ୍ରିମକୋର୍ଟ କଣ କହୁଛନ୍ତି….
ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ କେସ ର ଶୁଣାଣୀ ସମୟରେ ଶୁକ୍ରବାର ଦିନ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ଉପରେ ଏକ ମତାମତ ଦେଇଛନ୍ତି । ନ୍ୟାୟପୀଠର ବିଚାରପତି ବି.ଭି.ନାଗରତ୍ନ ଏବଂ ଉଜ୍ଜଳ ଭୁୟାନ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ, ବିବାହ ପୂର୍ବରୁ ପୁଅ-ଝିଅ ମଧ୍ୟରେ ଯୌନ ସମ୍ପର୍କ କୁ ନେଇ ସତର୍କ ରହିବା ଦରକାର ।
ସେମାନେ କହିଛନ୍ତି, “ହୁଏତ ଆମର ଚିନ୍ତାଧାରା ପୁରୁଣା ହୋଇଥାଇପାରେ, କିନ୍ତୁ ବିବାହ ପୂର୍ବରୁ ପୁଅ ଓ ଝିଅ ପରସ୍ପରକୁ ଭଲଭାବେ ଜାଣିନଥାଆନ୍ତି । ତେଣୁ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ପୂର୍ବରୁ ସତର୍କ ରହିବା ଆବଶ୍ୟକ” ବୋଲି ଉଲ୍ଲେଖ କରିଛନ୍ତି । ଆଇନ ଅନୁସାରେ, ଯଦି ଜଣେ ପୁରୁଷ ଜଣେ ମହିଳାଙ୍କୁ ବିବାହ କରିବେ ବୋଲି କହି ତାଙ୍କ ସହିତ ଯୌନ ସମ୍ପର୍କ ରଖନ୍ତି । ଏବଂ ପରେ ସେ ଆଉ ଜଣେଙ୍କ ସହ ବିବାହ କରନ୍ତି, ତେବେ ଏହାକୁ ଅପରାଧ ଭାବେ ଧରାଯାଇପାରେ ।
ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୩ ଅନୁସାରେ, ଯଦି ଜଣେ ପୁରୁଷ ଆରମ୍ଭରୁ ବିବାହ କରିବାର କୌଣସି ଇଚ୍ଛା ନଥିଲା, କିନ୍ତୁ ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଭରସା ଦେଇ ସମ୍ପର୍କରେ ରାଜି କରିଥିଲେ, ତେବେ ଏହାକୁ ଅପରାଧ ଭାବେ ଧରାଯିବ । ଅର୍ଥାତ୍, ମହିଳାଙ୍କ ସମ୍ମତି ଯଦି କେବଳ ସେଇ ମିଥ୍ୟା ପ୍ରତିଶ୍ରୁତି ଉପରେ ଆଧାରିତ ଥିଲା, ତେବେ ଏହା ଆଇନ ଅନୁସାରେ ଗୁରୁତର ଅପରାଧ ହୋଇପାରେ । ଏବଂ ୧୦ ବର୍ଷ ଜେଲ କିମ୍ବା ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ । ତଥାପି କେତେକ କେସରେ କୋର୍ଟ ସମସ୍ତ ପରିସ୍ଥିତି କୁ ଭଲଭାବେ ତଦନ୍ତ କରିବା ପରେ ନିଷ୍ପତ୍ତି ନେଇଥାନ୍ତି ।

