୨୦୨୫-୨୬ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ; ଓଡିଶା ବିଦ୍ୟାଳୟର ଉନ୍ନତି ସମେତ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଗୁରୁତ୍ୱ
ଭୁବନଶ୍ବେର,୧୯|୨: ଗତ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଧାନମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ, ଚାଷୀ ମାରଣ ନୀତିକୁ ନେଇ ବିରୋଧୀଙ୍କ ଶାସକ ଦଳକୁ ଟାର୍ଗେଟ ଜାରି ରହିଛି | ତେବେ ଆସନ୍ତା ୨୦ ତାରିଖରେ ଗୃହରେ ଉପସ୍ଥାପନ ହେବ ବଜେଟ୍ । ହେଲେ ଏହା ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫-୨୬ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇକୋନୋମିକ୍ ସର୍ଭେ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନା କରିଛନ୍ତି | ଯେଉଁଥିରେ ଶିକ୍ଷା ଓ କୌଶଳ ବିକାଶ ଏବଂ ସ୍ବାସ୍ଥ୍ୟ ଉପରେ ଆକଳନ କରାଯାଇଛି ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଓଡିଶା ବିଦ୍ୟାଳୟ ଶିକ୍ଷା ବଜେଟର ଆକାର ପୂର୍ବ ଅପେକ୍ଷା ବଢ଼ିଛି । ୨୦୨୩-୨୪ରେ ଏହା ୨୨,୫୨୭ କୋଟି ଟଙ୍କା ଥିଲା । ଏବେ ୨୦୨୫-୨୬ ବର୍ଷରେ ୩୧,୧୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତେବେ ୨ବର୍ଷ ମଧ୍ୟରେ ୩୮.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।
ଏହା ସହିତ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସ୍କୁଲ ଗୁଡ଼ିକରେ ପାନୀୟ ଜଳ, ପାଠାଗାର, ଶୌଚାଳୟ ସୁବିଧା ଏବଂ ବିଦ୍ୟୁତ ସଂଯୋଗୀକରଣ ହୋଇଛି । ଏହାଛଡ଼ା ୨୦୨୩-୨୪ ବର୍ଷ ଅପେକ୍ଷା ୨୦୨୪-୨୫ରେ ସରକାରୀ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ସୁବିଧା ୨୯ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୪-୨୫ରେ ୮୪ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇଛି । ଏହାସହିତ ରାଜ୍ୟରେ ଶିକ୍ଷକ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇଛି । ବିଦ୍ୟାଳୟ ଶିକ୍ଷାର ସମସ୍ତ ସ୍ତରରେ ଓଡିଶାର ପିଟିଆର ସର୍ବଭାରତୀୟ ସ୍ତରଠାରୁ ଆଗରେ ରହିଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ହୋଇଛି |
ଏଥର ଅର୍ଥନୈତିକ ସର୍ଭେ ରିପୋର୍ଟରେ ସ୍ବାସ୍ଥ୍ୟସେବା କ୍ଷେତ୍ର ମଧ୍ୟ ଫୋକସରେ ରହିଛି । ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମହତ୍ୱପୂର୍ଣ୍ଣ ନିବେଶ କରାଯାଇଛି। ୨୦୧୯-୨୦ ଅର୍ଥିକ ବର୍ଷରେ ୬.୯ ହଜାର କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ବର୍ଷ(ସଂଶୋଧିତ ଆକଳନ)ରେ ଏହା ୧୯.୭ ହଜାର କୋଟି ଟଙ୍କା ଯାଏଁ ବୃଦ୍ଧି ପାଇଛି ।
ସେହିଭଳି ରାଜ୍ୟ ସରକାର ପ୍ରାୟ ୮,୦୦୦ରୁ ଅଧିକ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହିତ ସ୍ୱାସ୍ଥ୍ୟସେବା ସୁବିଧାକୁ ବିସ୍ତାର କରିଛନ୍ତି । ଜିଲ୍ଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନତିକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସେହିଭଳି ଆମ ହସ୍ପିଟାଲ ସ୍କିମ୍ ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ତେବେ କେନ୍ଦ୍ର ଏବଂ ରାଜ୍ୟର ସମନ୍ୱିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏଓ୍ୱାଇ), ରାଜ୍ୟ ପ୍ରୟୋଜିତ ସ୍ୱାସ୍ଥ୍ୟବୀମା ଯୋଜନା, ଆର୍ଥିକ ଅନଗ୍ରସର ଲୋକଙ୍କୁ ନଗଦ ଟଙ୍କା ବିହୀନ ସ୍ବାସ୍ଥ୍ୟସେବା ପ୍ରଦାନ କରି ଆର୍ଥିକ ସୁବିଧାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି |

