Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରୀ ଗଣଦୁଷ୍କର୍ମ ମାମଲା:୫ ଅଭିଯୁକ୍ତ ଗିରଫ ; ରେଡ୍‌ ଫ୍ଲାଗ୍ ଘୋଷଣା କଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡ଼ା,୨୨।୨ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁଠି ଏକ ୭ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଉକ୍ତ ଅଞ୍ଚଳକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ଜଣେ ସିନିୟର ଅଫିସର ନିୟୋଜିତ ରହିବେ । ଏହାସହିତ ନ୍ୟାୟିକ ପ୍ରକ୍ରିୟାକୁ ତ୍ଵରାନିତ କରିବାକୁ ସ୍ୱତନ୍ତ୍ର ପିପି ନିୟୋଜିତ କରାଯିବ। ଅନ୍ୟପଟେ , ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଜକନିକା ଥାନା ପୁଲିସ୍ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଓଳାଭର ସ୍ଥିତ ଅକ୍ସଫୋର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ୱରଞ୍ଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ମିନତୀ ବାଇ (୩୪) ଓ ପିଅନ ରଶ୍ମିରଞ୍ଜନ ରଣା (୩୨)।

ସୂଚନା ଅନୁସାରେ,ପୁଲିସ ଜେରା କରିବା ସମୟରେ ଜଣାପଡ଼ିଲା ଯେ ଏହି ଅଭିଯୁକ୍ତ ଶିକ୍ଷକମାନେ ଗତ ୪ ବର୍ଷ ଧରି ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏ ନେଇ ଛାତ୍ରୀ ଜଣକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ ସ୍କୁଲ ପ୍ରିନ୍‌ସିପାଲ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ଅନ୍ୟପଟେ ,ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଧମକ ଦେଉଥିଲେ । ଯଦି କାହାକୁ ଘଟଣା ସମ୍ପର୍କରେ କହିବେ ତେବେ ଛାତ୍ରୀଙ୍କ ସାନ ଭାଇ ଓ ତାକୁ ଜୀବନରୁ ମାରିଦେବେ ବୋଲି ଡରାଉ ଥିଲେ। ଫଳରେ ଛାତ୍ରୀ ଜଣକ ବାଧ୍ୟ ହୋଇ ଚୁପ ରହୁଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଶନିବାର କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପୁଲିସ ମୁଖ୍ୟାଳୟ ଡିଏସ୍‌ପି ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ