ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ! ତାରାତାରିଣୀରୁ ଉଡ଼ିଲା ପବନହଂସ; ଆକାଶମାର୍ଗରୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ
ଗଞ୍ଜାମ,୨୩ା୨: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ! ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆଣିବାକୁ ସରକାର ନେଇଛନ୍ତି ପଦକ୍ଷେପ | ପର୍ଯ୍ୟଟକଙ୍କ ସୁବିଧା ଲାଗି ସରକାର ହେଲିଟ୍ୟାକ୍ସି ସେବା ଯୋଜନା ଆରମ୍ଭ କରିଛନ୍ତି। ଏହି ହେଲି ଟ୍ୟାକ୍ସି ସେବା ଏନ୍ଜୟ ରାଇଡ୍ ନାମରେ ନାମିତ ହୋଇଛି | ଏହା ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଉଡ଼ାଣ ଭରି ଧବଳେଶ୍ବର ଦେଇ ତାରାତାରିଣୀ ପର୍ଯ୍ୟନ୍ତ ଆସିବ। ତେବେ ଏହି ସମୟରେ ଲୋକେ ଆକାଶ ମାର୍ଗରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ସେବା ଆରମ୍ଭ କରାଯାଇଛି | ଏହି ହେଲିକପ୍ଟର ପବନହଂସର ଆଜି ସଫଳତାର ସହ ପରୀକ୍ଷଣ ସରିବା ନେଇ ଜଣାପଡିଛି । ପବନହଂସ ଭୁବନେଶ୍ବରରୁ ସିଦ୍ଧା ତାରାତାରିଣୀ ଆସି ସେଠାରୁ ରଙ୍ଗେଇଲୁଣ୍ଡା ହେଲିଷ୍ଟିପ୍କୁ ଯାଇଛି। ଏହି ସମୟରେ ପୁରୁଷୋତ୍ତମପୁର ଥାନା ଆଇଆଇସି ରାଜେଶ କୁମାର ନାୟକଙ୍କ ନିରୀକ୍ଷଣରେ ପୋଲିସ କର୍ମଚାରୀମାନେ ଜଗିରହି ପବନହଂସକୁ ଚାରିପଟୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥିବା ନେଇ ସୂଚନା ରହିଛି ।

