ବିଧାନସଭା ଅଧିବେଶନ କାର୍ଯ୍ୟରେ ବାରମ୍ବାର ମୁଲତବୀ ; ଦାୟିତ୍ବ ଓ କର୍ତ୍ତବ୍ୟ ପାଳନ କରନ୍ତୁ ବିଧାୟକ
ଭୁବନେଶ୍ୱର,୨୫|୨: ଚଳିତ ମାସ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ବଜେଟ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ କମ୍ଭମ୍ପାଟି ଗୃହକୁ ସମ୍ବୋଧନ କରିଥିଲେ | ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଗୃହରେ ଉପସ୍ଥାପନ କରିଛନ୍ତି। ବିଧାନସଭାକୁ ସୁରୁଖୁରୁରେ ପରିଚାଳନା କରିବାକୁ ବିଧାନସଭା ଆରମ୍ଭ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ସମସ୍ତଙ୍କର ସହଯୋଗ କାମନା ନିମନ୍ତେ ଆଲୋଚନା କରିଥିଲେ | କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଯେ ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିଧାନସଭା ଅଚଳ ରହିଲା। ରାଜ୍ୟପାଳଙ୍କ ଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ଅଟକିଯାଇଛି। ସେହିପରି ୨୦୨୬-୨୭ ବଜେଟ୍ ବିଷୟରେ ଶାସକ ଓ ବିରୋଧୀ ଦଳ ସଦସ୍ୟମାନଙ୍କ ପକ୍ଷରୁ ଆଲୋଚନା ସହଜ ହୋଇପାରି ନାହିଁ।
ତେବେ ଏହା ନୂଆ ନୁହେଁ | ଏହା ପୂର୍ବରୁ ଓଡ଼ିଶାରେ ବିଧାନସଭା ଅନେକଥର ଅଚଳ ରହିଛି | ବିରୋଧୀ ଏବଂ ଶାସକ ଦଳର ବିଧାୟକମାନଙ୍କ ପାଇଁ ଗୃହକାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବା ବେଳେ କେବେକେବେ ଗୃହକୁ ଅନେକ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ମଧ୍ୟ କରାଯାଇଛି। ଚଳିତ ବିଧାନସଭାରେ ମଧ୍ୟ ବିଧାନସଭା କାର୍ଯ୍ୟରେ ବିଶୃଙ୍ଖଳିତ ଦେଖାଦେଇଛି । ବିରୋଧୀ ଦଳ ପକ୍ଷରୁ ଗୃହରେ ଆଲୋଚନା ପାଇଁ ଧାନ ମଣ୍ଡି ଅବ୍ୟବସ୍ଥା ମୁଖ୍ୟ ପ୍ରସଙ୍ଗ ସହିତ ମହାନଦୀ ଜଳ ବିବାଦ, ରାଜ୍ୟର ମହିଳାଙ୍କ ସୁରକ୍ଷା, ଆଇନଶୃଙ୍ଖଳାରେ ବିଶୃଙ୍ଖଳିତ ବ୍ୟବସ୍ଥା ଆଦି ଅନେକ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଥିଲା। ଶାସକ ଦଳ ମଧ୍ୟ ବିରୋଧୀଙ୍କର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ; ତଥାପି ଗୃହ ସ୍ବାଭାବିକ ହୋଇପାରିଲା ନାହିଁ, ଶୂନ୍ୟ କାଳ ଓ ପ୍ରଶ୍ନ କାଳ ସମୟରେ ବାରମ୍ବାର ମୁଲତବୀ ରଖାଯାଇଛି । ଗୃହରେ କିଛି ସମୟ ପାଇଁ ଆଲୋଚନା ଆରମ୍ଭ ହେବା ପରେ ବିରୋଧୀ ଦଳର ବିଧାୟକମାନଙ୍କ ହଟ୍ଟଗୋଳ ପରିସ୍ଥିତି ଆଲୋଚନାକୁ ବିଫଳ କରିଛି | ଯାହା ଫଳରେ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡିଛି।
ଧାନ କିଣା ସମସ୍ୟାକୁ ନେଇ ବିଜେଡି ସଦସ୍ୟମାନେ ସରକାରଙ୍କୁ ଏ ପ୍ରସଙ୍ଗରେ ଘେରିବାକୁ ଉଦ୍ୟମ କରିଛନ୍ତି; କିନ୍ତୁ ଅନ୍ୟପକ୍ଷରେ ସରକାରଙ୍କ ଯୁକ୍ତି ଯେ ଧାନ କିଣାରେ ସମାନ୍ୟ ବିଶୃଙ୍ଖଳା ଥିଲା, ତାହାର ସମାଧାନ ହୋଇଛି | ରାଜ୍ୟରେ ଚାଷୀଙ୍କ ଠାରୁ ଧାନ କିଣିବା ବ୍ୟବସ୍ଥା ସ୍ବାଭାବିକ ହୋଇଛି। ବିରୋଧୀଙ୍କୁ ସରକାରଙ୍କ ଏହି ଉତ୍ତର ସନ୍ତୁଷ୍ଟ କରିପାରି ନଥିବା ବେଳେ ସେମାନେ ଗୃହରେ ଧାନ ରଖି ବିରୋଧ ପ୍ରଦର୍ଶନ ପରେ ଗୃହ ବାହାରେ ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଶାସକ ଏବଂ ବିରୋଧୀଙ୍କ ବିବାଦରେ ନା ବିଧାନସଭା ଚାଲିପାରୁଛି ନା ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରୁଛି। ଏହା ମଧ୍ୟରେ ମଙ୍ଗଳବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହେବା ସହିତ ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି।
ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଶାସକ ଓ ବିରୋଧୀଙ୍କର ସମାନ ଭୂମିକା ରହିଛି | କିନ୍ତୁ ବିଧାନସଭାରେ ବାରମ୍ବାର ଏପରି ବିଶୃଙ୍ଖଳିତ ଦେଖାଦେବା ଏବଂ ବାରମ୍ବାର ଗୃହ କାର୍ଯ୍ୟରେ ବାଧା ଉପୁଜିବା ଫଳରେ ଗଣତନ୍ତ୍ର ଶାସନର ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠୁଛି । ଯେଉଁ ସାଧାରଣ ଜନତା ଭୋଟ ଦେଇ ଜନପ୍ରତିନିଧି ଚୟନ କରୁଛନ୍ତି ସେମାନେ ଜନତାଙ୍କ ସେବା ପରିବର୍ତ୍ତେ ଆପଣା ଦଳ ପାଇଁ କାମ କରୁଛନ୍ତି। ବିଧାୟକମାନେ ଯଦି ଜନତାଙ୍କ ହିତକୁ ଅଗ୍ରାଧିକାର ଦେବେ ନାହିଁ ଏବଂ ବିଧାନସଭାକୁ ଅଚଳ କରିବେ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆଇନଗତ ବ୍ୟବସ୍ଥା ରହିବା ନିହାତିପକ୍ଷେ ଆବଶ୍ୟକ। ସେହିପରି ଶାସକ ଦଳ ମଧ୍ୟ ହଟ୍ଟଗୋଳରୁ ଫାଇଦା ଉଠାଇବା, କାମ ନାହିଁ କହି ଗୃହକୁ ପୂର୍ବରୁ ବନ୍ଦ କରିଦେବା ଅତ୍ୟନ୍ତ ଅଶୋଭନୀୟ କାର୍ଯ୍ୟ। ତେଣୁ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ଆପଣାର ଦାୟିତ୍ବ ଏବଂ କର୍ତ୍ତବ୍ୟ ମୂଲ୍ୟବୋଧ ପ୍ରତି ସଚେତନ ହେବା ଆବଶ୍ୟକ ।

