Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରୁଣାଚଳ ପ୍ରଦେଶର ୩ ମହିଳାଙ୍କୁ ଜାତିଗତ ନିର୍ଯାତନା ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ମହିଳାଙ୍କୁ ଗିରଫ!

ନୂଆଦିଲ୍ଲୀ,୨୫|୨: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଅରୁଣାଚଳ ପ୍ରଦେଶର ତିନି ଜଣ ମହିଳା ଭଡାଟିଆଙ୍କ ଉପରେ ଜାତିଗତ ନିର୍ଯାତନା ଏବଂ ଅପରାଧିକ ଧମକ ଦେବା ଘଟଣାରେ ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି | ପୋଲିସ କହିଛି ଯେ, ମାଲବ୍ୟ ନଗର ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୭୯ , ୩୫୧ (୨), ୩(୫) ଏବଂ ୧୯୬ ଅନୁଯାୟୀ ମାଲବ୍ୟ ନଗର ନିବାସୀ ହର୍ଷ ସିଂହ ଏବଂ ତାଙ୍କ ପତ୍ନୀ ରୁବି ଜୈନଙ୍କ ବିରୁଦ୍ଧରେ ଏକ ଅଭିଯୋଗ ମାମଲା ରୁଜୁ କରାଯାଇଛି। ଫେବୃଆରୀ ୨୦ ତାରିଖ ଅପରାହ୍ନ ପ୍ରାୟ ୩.୩୦ ସମୟରେ ଘଟିଥିବା ଏକ ବିବାଦରୁ ଏହି ମାମଲା ସାମ୍ନାକୁ ଆସିଛି।

ତଦନ୍ତକାରୀଙ୍କ କହିବା ଅନୁସାରେ, ତିନି ଜଣ ଅଭିଯୋଗକାରୀ ସେମାନଙ୍କ ଭଡାଟିଆ ଚତୁର୍ଥ ମହଲା ଫ୍ଲାଟରେ ବୈଦ୍ୟୁତିକ ମରାମତି କାର୍ଯ୍ୟ କରୁଥିଲେ,ଆଉ ସେତିକିବେଳେ ଡ୍ରିଲିଂରୁ ଧୂଳି ଏବଂ ଆବର୍ଜନା ତଳ ପରିସରରେ ପଡ଼ିଥିବା ଅଭିଯୋଗ ହୋଇଥିଲା, ପରେ ଏହି ଘଟଣାକୁ ନେଇ ସେମାନଙ୍କର ପଡ଼ୋଶୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅନ୍ୟପଟେ, ମହିଳାମାନେ ଅଭିଯୋଗ କରିଛନ୍ତି ଯେ ବିବାଦ ସମୟରେ, ଅଭିଯୁକ୍ତମାନେ ସେମାନଙ୍କୁ ଗାଳି ଗୁଲ୍ଲଜ କରିବା ସହିତ ସେମାନଙ୍କ ଉତ୍ତର-ପୂର୍ବ ପରିଚୟକୁ ଟାର୍ଗେଟ କରି ଅପମାନଜନକ ଏବଂ ଜାତିଗତ ମୂଳକ ଅପମାନ ଦେଇଥିଲେ | ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରିଥିବା ସହିତ ଧମକ ମଧ୍ୟ ଦେଇଥିଲେ। କିନ୍ତୁ ପୋଲିସ ସ୍ପଷ୍ଟ କରିଛିଯେ ଏହି ଘଟଣାରେ କୌଣସି ଶାରୀରିକ ଆଘାତ କରାଯାଇଥିବାର ରିପୋର୍ଟ ହୋଇନାହିଁ | କିନ୍ତୁ ଅଭିଯୋଗକାରୀମାନେ ମାନସିକ ନିର୍ଯାତନା ଏବଂ ଅପମାନର କଥା ରିପୋର୍ଟରେ ଉଲ୍ଲେଖ ରହିଛି।

ଏକ ଛୋଟ କଥାକୁ ନେଇ ଆରମ୍ଭ ହୋଇଥିବା ସାଧାରଣ ଝଗଡା ପରେ ଗଭୀର ରୂପ ନେଇଥିଲା | ପଡ଼ୋଶୀମାନେ ଜାତିକୁ ନେଇ ଅଭିଯୋଗ କରିବା ସହ ଅପମାନଜନକ କଥା କହିଲେ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି | ଯେଉଁଠାରେ ଆରୋପୀ ଜଣଙ୍କ ପଡ଼ୋଶୀ ମହିଳାଙ୍କୁ “ମସାଜ ପାରଲର ଖୋଲିଛନ୍ତି କି?” ବୋଲି ପ୍ରଶ୍ନ କରୁଥିବା ଓ “ଧନ୍ଦାବାଲି” ଭଳି ଅଭଦ୍ର କଥା କହିଥିବାର ଶୁଣିବାକୁ ମିଳୁଛି | ମହିଳାମାନେ କହିଛନ୍ତି ଯେ ଏହି ଘଟଣା ତାଙ୍କର ଗୋପନୀୟତା ଓ ସମ୍ମାନକୁ ଆଘାତ କରିଛି । ସେମାନଙ୍କ ମତରେ, ଏହା ସାଧାରଣ ବିବାଦ ନୁହେଁ, ବରଂ ଜାତି ଭିତ୍ତିକ ଭେଦଭାବ ।

ଅନ୍ୟପଟେ, ଆରୋପୀ ଦମ୍ପତି କହିଛନ୍ତି ଯେ ଘଟଣାଟିକୁ ଭୁଲଭାବେ ବଡ଼ କରାଯାଇଛି । କିନ୍ତୁ ଅନେକ ରାଜନୈତିକ ଓ ସାମାଜିକ ନେତାମାନେ କହୁଛନ୍ତି ଯେ, ବଡ଼ ସହରରେ ଉତ୍ତରପୂର୍ବ ଅଞ୍ଚଳର ଲୋକମାନେ ଯେଭଳି ଭେଦଭାବ ସହୁଛନ୍ତି, ଏହି ଘଟଣା ତାହାର ଜ୍ଵଳନ୍ତ ଉଦାହରଣ |

ଘଟଣା ପରେ ଉତ୍ତରପୂର୍ବ ଅଞ୍ଚଳର ଲୋକମାନେ ଏକତ୍ରିତ ହୋଇ ପୀଡିତ ମହିଳାମାନଙ୍କ ପକ୍ଷରେ ସମର୍ଥନ ଜଣାଇଛନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାର ଦେଖାଯାଇଛି । ଅନେକେ ଅଭିଯୁକ୍ତ ଦମ୍ପତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଏବଂ ପୀଡିତମାନଙ୍କୁ ନ୍ୟାୟ ଦେବାକୁ କହୁଛନ୍ତି । ଏହି ଘଟଣାକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ମଧ୍ୟ ସମର୍ଥନର ସ୍ୱର ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ