Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନା ଦର ଆକାଶଛୁଆଁ!କଣ ରହିଛି ୟା ପଛର କାରଣ?

ସୁନାର ଦର ଦିନକୁ ଦିନ ହୁ ହୁ ହୋଇ ବଢୁଛି | ସାଧାରଣ ଗ୍ରାହକ ପଡିଛନ୍ତି ଚିନ୍ତାରେ! ତେବେ କାହିଁକି ସୁନାର ଦର ଏଭଳି ବଢୁଛି? କଣ ରହିଛି କାରଣ? ଏହାର କାରଣ ଆମେରିକା ଲାଗୁ କରିବାକୁ ଥିବା ଟାରିଫ ପାଇଁ ନୁହେଁତ! ନା ରହିଛି ଅନ୍ୟ କାରଣ | ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ କି ପ୍ରଭାବ? ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଛନ୍ତି ବଡ ସୂଚନା! ସେ ସୁନା ଦର ବୃଦ୍ଧିର ମୂଳ କାରଣ ଉପରେ ସ୍ପଷ୍ଟ ସୂଚନା ଦେଇଛନ୍ତି | ୨୩ ଫେବ୍ରୁଆରୀ ୨୦୨୬ରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସେଣ୍ଟ୍ରାଲ୍ ବୋର୍ଡ ମିଟିଂରେ ଯୋଗ ଦେବା ପରେ, ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି,ଯେ “ଗୋଲ୍ଡ ପ୍ରାଇସ୍ ରେ ହଠାତ ବୃଦ୍ଧି କେନ୍ଦ୍ରୀୟ ବ୍ୟାଙ୍କମାନେ ବହୁ ପରିମାଣରେ ସୁନା କିଣୁଥିବାରୁ ହେଉଛି | ଅର୍ଥାତ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କମାନେ ବହୁତ ସୁନା କ୍ରୟ କରୁଛନ୍ତି | ଚାହିଦା ବଢିବା ଯୋଗୁଁ ଦାମ ମଧ୍ୟ ବଢୁଛି |

ଅର୍ଥମନ୍ତ୍ରୀଙ୍କ କହିବା ଅନୁସାରେ, ବିଶ୍ୱର ବଡ଼ ବଡ଼ ସେଣ୍ଟ୍ରାଲ୍ ବ୍ୟାଙ୍କ ଗୁଡିକ ବହୁ ପରିମାଣରେ ସୁନା କ୍ରୟ କରୁଛନ୍ତି । ସେମାନେ ଡଲାର୍ ରିଜର୍ଭକୁ କମ କରି ସୁରକ୍ଷିତ ସଂପତ୍ତି ଭାବେ ସୁନାକୁ ଚୟନ କରୁଛନ୍ତି। ଏତେ ମାତ୍ରାଧିକ ଭାବେ ସୁନା କ୍ରୟ ଦର ବୃଦ୍ଧିର ମୁଖ୍ୟ କାରଣ ।

ତେବେ ସୁନା ଦରକୁ ନେଇ ବିଶ୍ୱସ୍ତରରେ ଚିନ୍ତା ବଢ଼ିଛି । ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ୍ ଧମକ ମଧ୍ୟ ବିଶ୍ୱ ବଜାରକୁ ଆହୁରି ଅସ୍ଥିର କରିଛି | ଏମିତି ପରିସ୍ଥିତିରେ ନିବେଶକମାନେ ଷ୍ଟକ୍ ମାର୍କେଟ୍ ଛାଡ଼ି ସୁରକ୍ଷିତ ବିକଳ୍ପ ଭାବେ ସୁନା କିଣିବାକୁ ଚିନ୍ତା କରୁଛନ୍ତି । ତେବେ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି ।

ଚଳିତ ୨୩ ଫେବ୍ରୁଆରୀରେ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୬୦,୦୪୯ ଟଙ୍କା ରହିଥିଲା, ଯାହା ପୂର୍ବ ଦିନ ଠାରୁ ୨.୦୨ ପ୍ରତିଶତ ଅଧିକ ଥିଲା । ଭାରତର ଅଧିକୃତ ସୁନା ଦର ଘୋଷଣା କରୁଥିବା ସଂଘ IBJA(India Bullion and Jewellers Association) ଅନୁସାରେ ୯୯୯ ପ୍ୟୁରିଟି ସୁନା ଦର ୧୦ ଗ୍ରାମ ପ୍ରତି ୧,୫୫,୦୬୬ ଟଙ୍କା ରହିଥିଲା | ଗ୍ଲୋବାଲ୍ ମାର୍କେଟ୍ COMEX(Commodity Exchange–USA) ହେଉଛି ଆମେରିକାର ବଜାର, ଯାହା ସାରା ପୃଥିବୀର ସୁନା ଦରକୁ ପ୍ରଭାବିତ କରେ ।

ତେବେ COMEXରେ ସୁନା ପ୍ରତି ଆଉନ୍ସ ହିସାବରେ ବ୍ୟବସାୟ କରାଯାଏ ଯାହାର ଦର ଥିଲା ୫,୧୮୨ ଡଲାର ଏବେ ୨୪ ଘଣ୍ଟାରେ ୨ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥମନ୍ତ୍ରୀଙ୍କ କହିବାନୁଯାୟୀ, ସରକାର ଓ RBI ସୁନା ଆମଦାନିକୁ ନଜରରେ ରଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତିଯେ, ବର୍ତ୍ତମାନ ପରିସ୍ଥିତି ଏତେ ଚିନ୍ତାଜନକ ନୁହେଁ । ବିବାହ ଓ ପର୍ବପର୍ବାଣୀ ସମୟରେ ସୁନାର ଆବଶ୍ୟକତା ଚାହିଦା ବଢ଼ିଥାଏ, କିନ୍ତୁ ସୁନାର ଦରରେ ଲଗାତର ବୃଦ୍ଧି ମୂଖ୍ୟତଃ ଗ୍ଲୋବାଲ୍ କାରଣରୁ ହୋଇଛି । ଏହାର ଦର ଆଗକୁ ମଧ୍ୟ ବଢିପାରେ | ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଯେ ଯଦି ବୃଦ୍ଧି ଏଭଳି ନିୟମିତ ଭାବେ ଚାଲେ, ସାଧାରଣ ଲୋକଙ୍କ ପକେଟ୍ ଉପରେ ମଧ୍ୟ ପ୍ରଭାବ ପଡ଼ିବ | ତଥାପି ସରକାର କହୁଛନ୍ତି, ପରିସ୍ଥିତି ଏବେ ବି ନିୟନ୍ତ୍ରଣରେ ଅଛି । ତେବେ ସୁନା କିଣିବାକୁ କେଉଁ ସମୟ ଉପଯୁକ୍ତ ହେବ ତାହା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ