ବହୁଚର୍ଚ୍ଚିତ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ହତ୍ୟା ମାମଲା! ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ: କଟକ ଏଡିଜେ-୩ କୋର୍ଟ।
ଭୁବନେଶ୍ୱର,୨୭|୨: ବହୁ ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ହତ୍ୟା ଘଟଣାରେ କୋର୍ଟ ରାୟ ଦେଇଛନ୍ତି | ସ୍ୱାମୀ କରିଥିଲେ ହତ୍ୟା ! ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଏଡିଜେ-୩ କୋର୍ଟ। ତେବେ ଏହି ମାମଲାରେ ଅଭିଯୁକ୍ତ ଲିପନର ବାପା ଏବଂ ମାଆ ଦଣ୍ଡ ବିଧାନରୁ ମୁକ୍ତ ହୋଇଛନ୍ତି । ସୂଚନାଯୋଗ୍ୟ, ଗତ ୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିଲା । ଆଇପିସି ଧାରା ୩୦୨ ଅନୁସାରେ ଏହି ହତ୍ୟା ମାମଲା ରୁଜୁ ହୋଇଥିଲା ।
ଚର୍ଚ୍ଚିତ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ୍ ନିକିତା ଦୀର୍ଘ ୨୦୧୬ ମସିହାରେ ଲିପନଙ୍କୁ ପ୍ରେମ ବିବାହ କରିଥିଲେ | କିନ୍ତୁ ବିବାହ ପରେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା | ନାନା ପ୍ରକାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକେ | ଗତ ୨୦୧୯ ଜାନୁଆରି ୪ ତାରିଖରେ ଛାତରୁ ଖସି ପଡ଼ି ଗୁରୁତର ହୋଇଥିଲେ ନିକିତା | ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଜାନୁଆରି ୫ରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ଏହା ପଛରେ ହତ୍ୟା ଷଡଯନ୍ତ୍ର ଥିବା ସନ୍ଦେହ କରି ତାଙ୍କ ସ୍ୱାମୀଙ୍କ ନାମରେ ଅଭିଯୋଗ କରାଯାଇଥିଲା | ଏହି ହତ୍ୟା ଘଟଣାରେ ୨୦୧୯ ଜାନୁଆରି ୮ରେ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଥିଲା ପୋଲିସ | ଏବଂ ପରେ ୨୦୨୨ରେ ଜାମିନ ପାଇ ଜେଲରୁ ମୁକୁଳିଥିଲେ ଲିପନ | ଆଉ ଏବେ ପୁଣିଥରେ ନିକିତାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ |

