ବଦଳିବ ଇଂରାଜୀ ନାମ;ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ
ଭୁବନେଶ୍ୱର ୨୮।୦୨ : ପରିବର୍ତ୍ତନ ହେବ ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମ । ବ୍ରିଟିଶ୍ ଶାସନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଭୁଲ୍ ନାମକରଣର ହେବ ସଂଶୋଧନ। ବଦଳରେ ମୂଳ ଓଡ଼ିଆ ନାମର ହେବ ବ୍ୟବହାର | ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ବିଭିନ୍ନ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ।
ଏହି ପ୍ରସଙ୍ଗରେ ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଏକ ବିସ୍ତୃତ ରିପୋର୍ଟ ମଗାଯାଇଥିଲା। ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରୁ ଏନେଇ ସୂଚନା ଆସିଛି। ଓଡ଼ିଶାର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଆଦିର ନାମ ହେବ ସଂଶୋଧନ | ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ ରୂପ ଭାବେ ବ୍ୟବହାର ହେଉଛି । ସେ ସବୁ ସ୍ଥାନର ମୂଳ ଓଡ଼ିଆ ନାମଗୁଡ଼ିକର ସଂଶୋଧନ ହେବ | ଏହା ଆମ ରାଜ୍ୟର ପ୍ରକୃତ ଭାଷାଗତ ଏବଂ ସାଂସ୍କୃତିକ ପରିଚୟକୁ ଭୁଲ୍ ଭାବରେ ପ୍ରତିପାଦନ କରୁଛି ଏବଂ ଓଡ଼ିଆ ଅସ୍ମିତାକୁ କ୍ଷୁର୍ଣ୍ଣ କରୁଛି । ଭୁଲ ନାମଗୁଡିକର ସଂଶୋଧନ କରାଯିବାର ଆବଶ୍ୟକତା ରହିଛି ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀ ଚିଠିରେ ଉଲ୍ଲେଖ କରିଛନ୍ତି।

