ପୁଣିଥରେ ସମ୍ବଲପୁର କୋର୍ଟକୁ ବୋମାରେ ଉଡାଇଦେବାର ଧମକ! ଆକ୍ସନମୋଡ଼ରେ ପୋଲିସ
ସମ୍ବଲପୁର,୨।୩: ପୁଣିଥରେ ସମ୍ବଲପୁର କୋର୍ଟକୁ ବୋମାର ଉଡାଇଦେବାର ଧମକ ମିଳିଛି। ଏହି ଖବର ମିଳିବା ପରେ କୋର୍ଟ ପରିସରରେ ସୁରକ୍ଷାବାହିନୀ ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୋର୍ଟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କୁ ଯାଞ୍ଚ କରୁଛି ପୋଲିସ ।
ଖବର ଅନୁସାରେ,ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ବୋମାର ଧମକ ମିଳିଥିଲା । ଏହା ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାର ଧମକ ମିଳିଥିଲା | ଏବେ ପୁଣି ଥରେ ଆସିଛି ଧମକ । ଧମକ ପରେ ଏବେ ଆକ୍ସନମୋଡରେ ଜିଲ୍ଲା ପ୍ରଶାସନ। ଖବର ପାଇ ତୁରନ୍ତ ଜିଲ୍ଲା ପୋଲିସ, ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ କିଏ ଏବଂ କାହିଁକି ଏଭଳି ବୋମା ଧମକ ଦେଇଛି । ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ | କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ବଲପୁର କୋର୍ଟକୁ ବାରମ୍ବାର ଏପରି ଧମକ କାହିଁକି ଆସୁଛି । ସେନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ତେବେ କେବଳ ସମ୍ବଲପୁର କୋର୍ଟକୁ ନୁହେଁ କଟକ ହାଇକୋର୍ଟକୁ ମଧ୍ୟ ବମ୍ରେ ଉଡ଼ାଇବାର ଧମକ ଆସିଥିଲା ।

