ଯୁଦ୍ଧରେ ଫସିଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର
ଭୁବନେଶ୍ବର, ୩।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏଥିରେ ଗୃହ ବିଭାଗ, ଶ୍ରମ ବିଭାଗ ସମେତ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ କାମ କରୁଛନ୍ତି । ଯୁଦ୍ଧ ପରିସ୍ଥିତିରେ ବିଭିନ୍ନ ଦେଶରେ ଫସିଥିବା ଓଡ଼ିଆଙ୍କ ପାଇଁ ଜାରି ହୋଇଛି ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର । ଟୋଲ୍ ଫ୍ରି ନମ୍ବର ହେଉଛି ୮୦୦୪୬୩୪୨ । ସେହିଭଳି ଏକ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଜାରି କରାଯାଇଛି ଯାହାର ନମ୍ବର ହେଉଛି ୯୭୧୫୪୩୦୯୦୫୭୧ ।
ଏଥିପାଇଁ ଓଡ଼ିଶା ପରିବାରର ସ୍ଵତନ୍ତ୍ର କାର୍ଯ୍ୟରତ ଅଧିକାରୀ ପ୍ରିତିଶ ପଣ୍ଡାଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ତେବେ ଶ୍ରମ ବିଭାଗ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିଛି । ସେପଟେ, କେନ୍ଦ୍ର ସରକାରଙ୍କ ସହ ନିରନ୍ତର ସମ୍ପର୍କରେ ରହିଛି ଶ୍ରମ ବିଭାଗ। ଯେଉଁମାନେ ବି ଏହି ଭୟଙ୍କର ସ୍ଥିତିରେ ଫସିଛନ୍ତି ସେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

