ଟ୍ରମ୍ପଙ୍କୁ ହତ୍ୟା କରିବାକୁ ବଡ ଯୋଜନା ରଚିଥିଲେ ଇରାନୀ ଗୁପ୍ତଚର! ପାକିସ୍ତାନୀ ନାଗରିକଙ୍କ ପ୍ରତିକ୍ରିୟା
ଓ୍ବାଶିଂଟନ,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି | ବରଂ ଧୀରେ ଧୀରେ ଭୟଙ୍କର ରୂପ ନେବାରେ ଲାଗିଛି | ପରଷ୍ପରକୁ ଆକ୍ରମଣ କରିବା ଜାରି ରଖିଛନ୍ତି | ପରମାଣୁ କେନ୍ଦ୍ର ଉପରେ ମିସାଇଲ ଆକ୍ରମଣ ଜାରି ରହିଛି | ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି | ଜଣେ ପାକିସ୍ତାନୀ ନାଗରିକ ଏକ ବଡ ଦାବି କରିଛନ୍ତି। ଦାବିରେ ସେ କହିଛନ୍ତି ଯେ, ଇରାନୀ ଗୁପ୍ତଚର ଏଜେଣ୍ଟମାନେ ତାଙ୍କୁ ଆମେରିକା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାର ରାଷ୍ଟ୍ରଦୂତ ନିକି ହେଲିଙ୍କୁ ହତ୍ୟା କରିବା ପାଇଁ ନିଯୁକ୍ତି ଦେଇଥିଲେ। ବ୍ରୁକଲିନ ଫେଡେରାଲ କୋର୍ଟରେ ପାକିସ୍ତାନୀ ନାଗରିକ ଆସିଫ ମର୍ଚାଣ୍ଟ ବୁଧବାର (ମାର୍ଚ୍ଚ ୪, ୨୦୨୬) ଏହି ଦାବି କରିଥିଲେ ଏହାସହିତ ନିଜ ନିର୍ଦ୍ଦୋଷତା ପାଇଁ ଦାବି ମଧ୍ୟ କରିଛନ୍ତି ।
ଦି ନ୍ୟୁୟର୍କ ରିପୋର୍ଟ ଅନୁଯାୟୀ, ଆସିଫ ମର୍ଚାଣ୍ଟଙ୍କୁ ଅଗଷ୍ଟ ୨୦୨୪ରେ ଗିରଫ ହୋଇଥିଲେ । ତାଙ୍କ ଉପରେ ଏହି କାମ ପାଇଁ ଦୁଇ ଜଣ $5,000 (ପ୍ରାୟ ୪.୬ ଲକ୍ଷ) ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ସେ ବିଶ୍ୱାସ କରୁଥିଲେ ଯେ, ଏହି ଲୋକମାନେ କଣ୍ଟ୍ରାକ୍ଟ କିଲର୍ କିନ୍ତୁ ପ୍ରକୃତରେ ସେମାନେFBI ଏଜେଣ୍ଟ ଥିଲେ।
ତେବେ ଆସିଫ ମର୍ଚାଣ୍ଟ ନିଜର ନିର୍ଦୋଷୀ ବୋଲି ଦାବି କରିବା ସହିତ ସେ କହିଛନ୍ତି ଯେ, ତାଙ୍କୁ ଏହି କାମ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ତାଙ୍କ ପରିବାରକୁ ମଧ୍ୟ ଧମକ ଦିଆଯାଇଥିଲା | ଏହା ପରେ ତାଙ୍କ ପାକହରେ କୌଣସି ବିକଳ୍ପ ନଥିଲା ଏବଂ ଶେଷରେ ବାଧ୍ୟ ହୋଇ ଏହି ଅପରାଧ କରିବା ମାନି ଥିଲେ | ଆସିଫ ମର୍ଚାଣ୍ଟ ଏହା ମଧ୍ୟ ଦାବି କରିଛନ୍ତି ଯେ ,୨୦୨୨ ଶେଷ ଏବଂ ୨୦୨୩ର ପ୍ରାରମ୍ଭରେ ଇରାନୀ ଏଜେଣ୍ଟମାନଙ୍କ ସହିତ କାମ କରିବାକୁ ସେ ସ୍ବେଚ୍ଛାସେବୀ ଭାବେ ଆସିଥିଲେ। କିନ୍ତୁ ସେହି ସମୟରେ, ସେ ଆମେରିକାର କଟକଣାରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ମନି ଲଣ୍ଡରିଂରେ ସହଯୋଗ କରିଥିଲେ।
ଆସିଫ ମର୍ଚାଣ୍ଟ ଆହୁରି କହିଛନ୍ତି ଯେ, ସେ ପୂର୍ବରୁ ଏକ ବ୍ୟାଙ୍କରେ ମଧ୍ୟ କାମ କରୁଥିଲେ। ତାଙ୍କର ଏକ କଦଳୀ ରପ୍ତାନି ବ୍ୟବସାୟ ଥିଲା, ଯାହା ପରେ ବନ୍ଦ ହୋଇଗଲା। ଏହାପରେ ଏପ୍ରିଲ ୨୦୨୪ରେ, ଜଣେ ଇରାନୀ ହ୍ୟାଣ୍ଡଲର ତାଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଆମେରିକା ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ତାଙ୍କୁ ସେଠାରେ କାହାକୁ ହତ୍ୟା କରିବାକୁ ମଧ୍ୟ ପଡ଼ିପାରେ। ସେ ପରେ ନିଜ ସାକ୍ଷ୍ୟରେ କହିଥିଲେ ଯେ, ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ,ଟ୍ରମ୍ପ, ବାଇଡେନ ଏବଂ ନିକି ହେଲିଙ୍କୁ ଟାର୍ଗେଟ କରାଯାଇପାରେ ।
ତେବେ ଆସିଫ ମର୍ଚାଣ୍ଟଙ୍କ ଗୋଟିଏ ସ୍ତ୍ରୀ ଏବଂ ତିନିଟି ପିଲା ପାକିସ୍ତାନରେ ରହୁଛନ୍ତି| ଆସିଫ ମର୍ଚାଣ୍ଟ ଜୁରିଙ୍କୁ କହିଛନ୍ତି ଯେ, ତାଙ୍କ ପରିବାର ବର୍ତ୍ତମାନ ବିପଦରେ ଅଛନ୍ତି, ଯାହା ତାଙ୍କୁ ବାଧ୍ୟ କରି ଏହି ଅପରାଧ ପାଳନ କରିବାକୁ ବାଧ୍ୟ କରିଥିଲା। ତଥାପି, ଆସିଫ ଦାବି କରିଛନ୍ତି ଯେ, ସେ ଜାଣିଶୁଣି ଏହି ଷଡ଼ଯନ୍ତ୍ର ରଚି ନଥିଲେ ।

