ଯୁଦ୍ଧ ପରିସ୍ଥିତି ମଧ୍ୟରେ ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ରର ପରୀକ୍ଷଣ, ହିରୋସୀମାଠାରୁ ବି ଅଧିକ ଭୟଙ୍କର!
ନୂଆଦିଲ୍ଲୀ ,୬|୩: ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ଏବେ ବି ଇରାନ ଉପରେ ଜାରି ରହିଛି |ଏହାଫଳରେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖାଦେଇଛି | ମିଶାଇଲ୍ ଆକ୍ରମଣରେ ଏବେ ମଧ୍ୟ ଆକାଶରୁ ଅଗ୍ନି ବର୍ଷୁଛି। ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ପୁରା ତେହରାନ କମ୍ପୁଛି | ମୃତ୍ୟୁ ସଂଖ୍ୟା ପ୍ରାୟ ହଜାର ଛୁଇଁ ଥିବାବେଳେ ଆହତଙ୍କ ସଂଖ୍ୟା ପ୍ରାୟ ୫ ହଜାର ଟପିଛି । ଯୁଦ୍ଧକୁ ବିତିଗଲାଣି ଛଅ ଦିନ ତଥାପି ଯୁଦ୍ଧ ଥମୁନାହିଁ ବରଂ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି | ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ ଇରାନରେ ୭୮୭, ଲୋବାନରରେ ୬୦ରୁ ଅଧିକ, ଇସ୍ରାଏଲରେ ୧୨ରୁ ଅଧିକ ନାଗରିକ ସମେତ ଆମେରିକାର ୬ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। କିନ୍ତୁ ଏହା ମଧ୍ୟରେ ଆମେରିକା ସାମରିକ ଶକ୍ତି କ୍ଷେତ୍ରରେ ଶକ୍ତିଶାଳୀ ପରୀକ୍ଷଣ କରିଛି । ୧୯୪୫ ଅଗଷ୍ଟ୬ ହିରୋସୀମା ଆଟାକ ଠାରୁ ଏହା ଅଧିକ କ୍ଷତି କରିପାରେ ବୋଲି ଆଲୋଚନା ହେଉଛି |
ସୂଚନା ଅନୁଯାୟୀ, ଆମେରିକାର କାଲିଫର୍ଣ୍ଣିଆରୁ ଏହି ମିନିଟ୍ମ୍ୟାନ୍-୩ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି । କୁହାଯାଉଛି ଏହି ଏହି ପରମାଣୁ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ହିରୋସୀମାରେ ବ୍ୟବହାର କରାଯାଇଥିବା ବୋମା ଠାରୁ ପ୍ରାୟ ୨୦ ଗୁଣା ଅଧିକ ଶକ୍ତିଶାଳୀ ଅଟେ | ଏହା ହଜାର ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍କ୍ଷ୍ୟଭେଦ କରିପାରିବ ।
ଏହାରଲମ୍ବ ପ୍ରାୟ ୧୮ମିଟର ଥିବାବେଳେ ୩୦ ଟନ୍ରୁ ଅଧିକ ଓଜନ ରହିଛି | ବେଗ ରହିଛି ଘଣ୍ଟାପ୍ରତି ପ୍ରାୟ ୨୪ ହଜାର କିଲୋମିଟର। ତେବେ ୧୩ ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି |
ଅନ୍ୟପଟେ ,ବାୟୁସେନା ଗ୍ଲୋବାଲ୍ ଷ୍ଟ୍ରାଇକ୍ କମାଣ୍ଡ କହିଛନ୍ତିଯେ , ମଙ୍ଗଳବାର ଏହାର ପରୀକ୍ଷଣ କରାଯାଇଛି | ଏହି ପରୀକ୍ଷଣ ପାଇଁ ପୂର୍ବରୁ ସ୍ଥିର ହୋଇଥିଲା । ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ହେଉଛି ଆମେରିକାର ପରମାଣୁ ମଧ୍ୟରେ ସବୁଠାରୁ ଅଧିକ ଶକ୍ତିଶାଳୀ | ଯେଉଁଥିରେ ସ୍ଥଳ, ଜଳ ଏବଂ ଆକାଶ ପଥରୁ ଧ୍ୱଂସକାରୀ ଅସ୍ତ୍ର ନିକ୍ଷେପ କରିବାର କ୍ଷମତା ରହିଛି | ପରମାଣୁ ଯୁଦ୍ଧାସ୍ତ୍ରକୁ ପ୍ରତିହତ କରିବା ପାଇଁ ଏହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ରେ ନିର୍ମାଣ କରାଯାଇଛି | ଆମେରିକା ଉପରେ କୌଣସି ପରମାଣୁ ଆକ୍ରମଣକୁ ଏହି ଅସ୍ତ୍ର ଦେଇପାରିବ କଡା ଜବାବ । ରାଷ୍ଟ୍ରପତି ଟ୍ରମ୍ପଙ୍କ ପରମାଣୁ ଅସ୍ତ୍ର ପରୀକ୍ଷଣ ପାଇଁ ଆରମ୍ଭ କରିବାକୁ ଆହ୍ୱାନ କରିବା ପରେ ଗତ ନଭେମ୍ବରରେ ଏହି ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ରର ଉତ୍କ୍ଷେପଣ କରାଯାଇଥିଲା।
ତେବେ ମିନିଟ୍ମ୍ୟାନ୍-୩, ହେଉଛି ଆମେରିକାର ସବୁଠାରୁ ପୁରୁଣା ICBM । ୧୯୭୦ ଦଶକରୁ ଏହା ବ୍ୟବହାର ହୋଇ ଆସୁଛି | ଏବେ ଯୁକ୍ତରାଷ୍ଟ୍ର ପାଖରେ ପ୍ରାୟ ୪୦୦ ଏଭଳି କ୍ଷେପଣାସ୍ତ୍ର ରହିଛି। ଯାହା ଋଷ ଓ ଚୀନ୍ ଭଳି ଦେଶର ଆକ୍ରମଣର କଡା ଜବାବ ଦେବ। ଏହି କ୍ଷେପଣାସ୍ତ୍ର ମୁଖ୍ୟତଃ ମିନିଟ୍ମ୍ୟାନ୍ ଭାବରେ ଜଣାଶୁଣା, କାରଣ ଏହା ଗୋଟିଏ ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇଯାଏ ।
ଅନ୍ୟପଟେ, ଟ୍ରମ୍ପଙ୍କୁ ଇରାନ୍ ସହ ଯୁଦ୍ଧ କରିବା ଭାରି ପଡିଛି | ଆମେରିକାର କୋଟି କୋଟି ଟଙ୍କା ପାଣିରେ ପଡିଛି । ଯୁଦ୍ଧ ଏବେ ଥମିବାର ଆଶା ଦେଖାଯାଉନି । ଆମେରିକାର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ହୋଇଛି କିନ୍ତୁ ଏତିକିରେ ଯୁଦ୍ଧ ସରିନି କି ହାରିନି ଇରାନ୍ । ଆମେରିକା ଏବଂ ଇସ୍ରାଏଲର ଆକ୍ରମଣର କଡା ଜବାବ ଦେଉଛି ଇରାନ | ଦୁବାଇରୁ ତେହେରାନ ଦିନକୁ ଦିନ ତେଜୁଛି ନିଆଁ । ଖୋଜି ଖୋଜି ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକାର ସାମରିକ କେନ୍ଦ୍ର ଏବଂ ଦୂତାବାସ ଉପରେ ଇରାନ କରୁଛି ଆକ୍ରମଣ | ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ବଢିଛି ଚିନ୍ତା |

