ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ରବିବାର ନୂତନ ସଂସଦ ଭବନର ଉଦଘାଟନ ସମାରୋହ ଆୟୋଜନ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବେ। ତେବେ ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ଵାରା କରାନଯାଇ ପ୍ରଧାନମନ୍ତ୍ରୀଙ୍କ ହାତରେ ହେଉଥିବାରୁ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଅନେକ ବିରୋଧୀ ଦଳ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ଏହା ମଧ୍ୟରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଅତିଥିଙ୍କ ପୂରା ତାଲିକା ପ୍ରସ୍ତୁତ ହୋଇ ସାରିଛି। ତେବେ ସାଂସ୍କୃତିକ ଏବଂ ପରମ୍ପରାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ନୂତନ ସଂସଦ ଭବନ ନିର୍ମାଣରେ କେତେ ଖର୍ଚ୍ଚ ହୋଇଛି ? କେତେ ଶ୍ରମିକ ନିୟୋଜିତ ହୋଇଥିଲେ ? କେତେ ଦିନ ଲାଗିଥିଲା ? କଣ କଣ ବିଶେଷତ୍ଵ ରହିଛି ଏହି ନୂତନ ସଂସଦ ଭବନରେ ? ଚାଲନ୍ତୁ ଜାଣିବା ଏସବୁ ବିଷୟରେ..
ନୂତନ ସଂସଦ ଭବନର ବଜେଟ୍ କେତେ ?
ନୂତନ ସଂସଦ ଭବନର ନିର୍ମାଣ ପାଇଁ ପ୍ରଥମେ ୯୭୧ କୋଟି ଟଙ୍କା ବଜେଟ୍ ରଖାଯାଇଥିଲା। ତେବେ ମୋଟ୍ ପ୍ରକଳ୍ପରେ ବଜେଟ୍ ଖର୍ଚ୍ଚ ବଢି ୧୦୦୦ କୋଟିରୁ ଉର୍ଦ୍ଧ୍ଵ ହୋଇଛି।
ନୂତନ ସଂସଦ ଭବନର କ୍ଷମତା କେତେ ?
ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ନିର୍ମିତ ନୂତନ ସଂସଦ ଭବନ ସହିତ ୧୮ଟି କୋଠା ନିର୍ମାଣ କରାଯାଇଛି। ୧୨୨୪ ସାଂସଦଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି। ଲୋକସଭାରେ ୮୮୮ ଆସନ ଏବଂ ରାଜ୍ୟସଭାରେ ୩୮୪ ଆସନର ବ୍ୟବସ୍ଥା ରହିଛି। ପୁରୁଣା ସଂସଦ ଭବନରେ ଲୋକସଭାରେ ୫୪୩ ଏବଂ ରାଜ୍ୟସଭାରେ ୨୪୫ ସାଂସଦ ବସି ପାରିବେ।
ନୂତନ ସଂସଦ ଭବନର କ୍ଷେତ୍ରଫଳ ?
ନୂତନ ସଂସଦ ଭବନର କ୍ଷେତ୍ରଫଳ ୬୪,୫୦୦ ବର୍ଗମିଟର।
ଏହାର ଡିଜାଇନ୍ କିଏ ପ୍ରସ୍ତୁତ କରିଛନ୍ତି ?
ନୂତନ ସଂସଦ ଭବନ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ନିର୍ମାଣ କରିଛି। ଏହାର ଡିଜାଇନିଂ ଗୁଜରାଟ ସ୍ଥିତ ଏକ ଆର୍କିଟେକଚର ଫର୍ମ ଏନସିପି ଡିଜାଇନ୍ସ ପ୍ରସ୍ତୁତ କରିଛି। ରାଜ୍ୟସଭାର ଭିତର ପାର୍ଶ୍ଵ ଥିମ ପଦ୍ମ ଆକୃତିର ରହିଥିବା ବେଳେ ଲୋକସଭାର ଥିମ ମୟୂର ଆକୃତିର ରହିଛି।
କଣ ସଂସଦ ଜନତାଙ୍କ ପାଇଁ ଖୋଲା ରହିବ ?
ସଂସଦ ଭବନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ନାହିଁ। ଏଥିପାଇଁ ଆପଣଙ୍କୁ ଏକ ସ୍ଵତନ୍ତ୍ର ପାସ୍ ଦରକାର। ଏହି ପାସ୍ ସଂସଦ ସୁରକ୍ଷା ପ୍ରତିଷ୍ଠାନରୁ ମିଳିବ।
ଅଶୋକ ସ୍ତମ୍ଭ
ସଂସଦ ଭବନର ଛାତ ଉପରେ ୯୫୦୦ କିଲୋଗ୍ରାମରେ ବ୍ରୋଞ୍ଜରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ସ୍ଥାପନ କରାଯାଇଛି।
କେତେ ଜଣ ଶ୍ରମିକ କାମ କରିଛନ୍ତି ?
୬୦ ହଜାର ଶ୍ରମିକ ନୂତନ ସଂସଦ ଭବନର ନିର୍ମାଣରେ ନିୟୋଜିତ ଥିଲେ। ୨୪ ଲକ୍ଷ ୧୨ ହଜାର ଶ୍ରମ ଦିବସରେ ଏହାର ନିର୍ମାଣ ହୋଇଛି।