Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତି ଇତିହାସ ରଚିଲା ଭାରତ! ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଅହମଦାବାଦ,୯|୨ : ଭାରତୀୟ କ୍ରିକେଟ୍‌ ଦଳ ପୁଣି ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ କୁ ନିଜ ନାଁରେ କରିଛି | ଆଉ ତୃତୀୟ ଥର ପାଇଁ ରଚିଛି ଇତିହାସ | ଆକ୍ରମଣ, ଆଧିପତ୍ୟ ଓ ଆତ୍ମବିଶ୍ବାସର ମିଶ୍ରିତ ଅପୂର୍ବ ସମନ୍ବୟରେ ତୃତୀୟ ଥର କ୍ରିକେଟ୍‌ ବିଶ୍ବକପ୍‌ ଜିତି ରଚିଛି ଗୌରବ । ଧମାଲ କରିଛି ଭାରତ! ନ୍ୟୁଜଲାଣ୍ଡ ସହିତ ଟକ୍କରରେ ଏକତରଫା ବିଜୟ ହାସଲ କରି ନିଜ ଶ୍ରେଷ୍ଠତ୍ବକୁ ପ୍ରମାଣିତ ଇଣ୍ଡିଆ କ୍ରିକେଟ ଦଳ | ଅହମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ଗତକାଲି ଅର୍ଥାତ ରବିବାର ଦିନ ଖେଳାଯାଇଥିବା ଏହି ମହାମୁକାବିଲାରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇଛି ଭାରତୀୟ କ୍ରିକେଟ ଟିମ । କେବଳ ସେତିକି ନୁହେଁ ବିଶ୍ୱକପ ଆୟୋଜକ ଦେଶ ସହିତ ଲଗାତାର ବିଶ୍ବକପ୍‌ ଜିତିବାରେ ମଧ୍ୟ ବିଶ୍ବର ପ୍ରଥମ ଦଳ ହୋଇଛି। ଟିମ୍‌ ଇଣ୍ଡିଆର ଏହି ଐତିହାସିକ ସଫଳତା ପରେ ସାରା ଭାରତର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଖୁସିର ମହଲା ଦେଖିବାକୁ ମିଳିଛି | ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି। ବିଶ୍ବବିଜୟୀ ହେବା ପରେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଏହାପୂର୍ବରୁ ୨୦୦୭ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନତ୍ଵରେ ଏବଂ ୨୦୨୪ରେ ରୋହିତ ଶର୍ମାଙ୍କ ଅଧୀନତ୍ଵରେ ଭାରତୀୟ କ୍ରିକେଟ ଟିମ ଅପୂର୍ବ ସଫଳତା ହାସଲ କରିଥିଲେ ଆଉ ଏବେ ୨୦୨୬ରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧୀନତ୍ଵରେ ଇଣ୍ଡିଆନ କ୍ରିକେଟ ଦଳ ବିଜୟ ହାସଲ କରିଛି | ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ୧୯ଟି ଦେଶକୁ ପଛରେ ପକାଇ ବିଶ୍ବକପ୍‌ ଟ୍ରଫି ଜିତି ଇତିହାସ ରଚିଛି ଭାରତ | ତେବେ ତିନିଟି ଟ୍ବେଣ୍ଟି-୨୦- ବିଶ୍ବକପ୍‌ ଜିତି ଭାରତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି | ସେହିଭଳି ଗତ ଦେଢ଼ବର୍ଷ ଭିତରେ ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍ ଏବଂ ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ଅନେକ ସଫଳତାର ହାସଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ୨୦୨୧ ମସିହା ପରେ ଦ୍ବିତୀୟ ଥର ଫାଇନାଲ୍‌ ଖେଳି ଦୁଇ ଥର ଯାକ ଉପବିଜେତାରେ ସନ୍ତୁଷ୍ଟ ରହିଛି। ତେବେ ମୋଟେରା ଷ୍ଟାଡିୟମ୍‌‌ରେ ଭାରତୀୟ ଦଳ ୨୦୨୩ ଏକଦିବସୀୟ ବିଶ୍ବକପ୍‌ ଫାଇନାଲ୍‌ ସହ ଚଳିତ ବିଶ୍ବକପ୍‌ର ସୁପର-୮ ମ୍ୟାଚ୍‌ ହାରି ଯାଇଥିଲା। ଏହାକୁ ନେଇ ପ୍ରଶଂସକଙ୍କ ମନରେ ଆଜିର ଫାଇନାଲ୍‌କୁ ନେଇ ଯେତିକି ଉତ୍କଣ୍ଠା ରହିଥିଲା ସେତିକି ଆଶଙ୍କା ମଧ୍ୟ | କିନ୍ତୁ ଏହି ଆଶଙ୍କା ଭାରତୀୟ ଦଳ ଭୁଲ ପ୍ରମାଣିତ କରିଥିଲା ।

ଏହି ଐତିହାସିକ ମ୍ୟାଚ ରେ ଭାରତୀୟ ଦଳ ଧମାକାଦାର ବ୍ୟାଟିଂ କରି ପ୍ରଥମେ ୫ ୱିକେଟ୍‌ ବିନିମୟରେ ୨୫୫ ରନ୍‌ର ସ୍କୋର୍‌ କରିଥିଲା। ଏବଂ ପରେ ପ୍ରଥମ ବିଶ୍ବକପ୍‌ ଜିତିବା ଲକ୍ଷ୍ୟରେ ଥିବା ନ୍ୟୁଜିଲାଣ୍ଡକୁ ମାତ୍ର ୧୫୯ ରନ୍‌ରେ ଅଟକାଇ ବିଶ୍ବକପ୍‌ କୁ ନିଜ ନାଁରେ କରିଥିଲା। ଓପନର୍‌ ଭାବେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍‌ ଦୃଢ଼ ମୂଳଦୁଆ ପକାଇବା ପରେ ଈଶାନ କିଶନ ଓ ଶିବମ ଦୁବେଙ୍କ ଧମାକାଦାର ବ୍ୟାଟିଂ ରେ ଭାରତ ନ୍ୟୁଜିଲାଣ୍ଡ ବୋଲର୍‌ଙ୍କୁ ନୟାନ୍ତ କରିଥିଲା । ଭାରତୀୟ ବ୍ୟାଟର୍‌ଙ୍କ ଛକା, ଚୌକା ବର୍ଷା କେବଳ ଭାରତ ନୁହେଁ, ବିଶ୍ବର ପ୍ରତିଟି କ୍ରିକେଟ୍‌ପ୍ରେମୀଙ୍କୁ ବିସ୍ମିତ ଓ ବିମୋହିତ କରିଥିଲା। ସେହିଭଳି ଅକ୍ଷର ପଟେଲଙ୍କ ସ୍ପିନ୍‌ ଯାଦୁ ସହ ଯଶପ୍ରୀତ୍‌ ବୁମ୍‌ରାଙ୍କ ଅପୂର୍ବ ବୋଲିଂ କୌଶଳ ବଳରେ ନ୍ୟୁଜିଲାଣ୍ଡକୁ ଝଟ୍‌କା ଉପରେ ଝଟ୍‌କା ଦେଇ ମ୍ୟାଚ୍‌କୁ ଏକ ଦମଦାର ସ୍କୋର କରିବାର ସୁଯୋଗ ଦେଇନଥିଲା | ତେବେ ବୁମ୍‌ରା ମଧ୍ୟ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଥିଲେ। ପ୍ରଥମ ଥର ଟ୍ବେଣ୍ଟି-୨୦ରେ ସେ ୪ଟି ୱିକେଟ୍‌ ନେଇ ପରିଚୟ ସୃଷ୍ଟି କରିଛନ୍ତି | ସେ ମଧ୍ୟ ୧୪ଟି ୱିକେଟ୍‌ ନେଇ ବିଶ୍ବକପ୍‌ର ସର୍ବଶ୍ରେଷ୍ଠ ବୋଲର ଆଖ୍ୟା ପାଇଥିଲେ। ଏହି ବିଜୟ ହାସଲ ପରେ ଭାରତୀୟ କ୍ରିକେଟ ଦଳକୁ ସାଢ଼େ ୨୭ କୋଟି ଟଙ୍କାର ଅର୍ଥରାଶି ଏବଂ ଉପବିଜେତା ନ୍ୟୁଜିଲାଣ୍ଡ ସାଢ଼େ ୧୪ କୋଟି ଟଙ୍କା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ