ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ: ସାମ୍ପ୍ରଦାୟିକ ସଦ୍ଭାବ ପାଇଁ ପ୍ରଶାସନର ଆହ୍ୱାନ, ଶୋଭାଯାତ୍ରା ସମୟରେ ମଦ ବିକ୍ରି ନିଷେଧ
ଝାରସୁଗୁଡ଼ା, ୧୦/୦୩ (ଓଡ଼ିଶା ନ୍ୟୁଜ): ଆଗାମୀ ରାମ ନବମୀ ଓ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଲୟ ଗୃହରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି. ଆର ରାଘବେନ୍ଦ୍ର, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜ ବନ୍ଧୁ ଭୋଇ ସହ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, “ଝାରସୁଗୁଡ଼ା ହେଉଛି ଏକ ‘ମିନି ଇଣ୍ଡିଆ’, ଯେଉଁଠି ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ମିଳନ ଆମର ପରିଚୟ। ସମସ୍ତ ସମ୍ପ୍ରଦାୟର ସହଯୋଗ ଦ୍ୱାରା ଜିଲ୍ଲାକୁ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ସମ୍ଭବ। ତେଣୁ ପର୍ବପର୍ବାଣୀକୁ ଶାନ୍ତିପୂର୍ଣ୍ଣ ଓ ସଉହାର୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ।”
ପୋଲିସ ଆରକ୍ଷୀ ଅଧିକ୍ଷକ ଜି. ଆର ରାଘବେନ୍ଦ୍ର କହିଥିଲେ ଯେ, ପୋଲିସ ପ୍ରଶାସନ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସଦା ସର୍ବଦା ସଚେତନ ଅଛି। ସେ କହିଥିଲେ, “ଆମେ କୌଣସି ନିୟମ ଲାଗୁ କରି ଲୋକଙ୍କୁ ଅସୁବିଧା ଦେବାକୁ ଚାହୁଁନାହୁଁ, ବରଂ ସମସ୍ତ କମିଟି ଓ ସାଧାରଣ ଲୋକଙ୍କ ସ୍ୱତଃସ୍ଫୂର୍ତ୍ତ ସହଯୋଗ ଆଶା କରୁଛୁ।” ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଶୋଭାଯାତ୍ରା ସମୟରେ ଡ୍ରୋନ୍ କ୍ୟାମେରା ଦ୍ୱାରା ନଜରଦାରି ସହ ସ୍ୱତନ୍ତ୍ର ପୋଲିସ ଟିମ୍ ମୁତୟନ କରାଯିବ ବୋଲି ସେ ଜଣାଇ ଥିଲେ।
ଉକ୍ତ ବୈଠକରେ ଗୁରୁତ୍ୱପୂର୍ଣ୍ଣ କିଛି ନିଷ୍ପତ୍ତି ମଧ୍ୟ ଗ୍ରହଣ କରା ଯାଇଥିଲା । ଶୋଭାଯାତ୍ରା ସମୟରେ ସହରରେ ଟ୍ରାଫିକ ବ୍ୟବସ୍ଥା ସୁଚାରୁ ରଖିବା ପାଇଁ ଭାରୀ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯିବ। ସେହି ସମୟରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବ। ଏଥିସହ ମୁସଲିମ୍ ସମ୍ପ୍ରଦାୟର ନମାଜ ସମୟ ଓ ରାମ ନବମୀ ଶୋଭାଯାତ୍ରା ସମୟ ମଧ୍ୟରେ ଯେପରି କୌଣସି ବିଘ୍ନ ସୃଷ୍ଟି ନ ହୁଏ, ସେଥିପାଇଁ ଧର୍ମଗୁରୁ ମାନଙ୍କ ସହ ଆଲୋଚନା କରି ସମୟ ନିର୍ଦ୍ଧାରଣ କରାଯିବ।
ଏହାସହ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଶୋଭାଯାତ୍ରା ସମୟରେ କୌଣସି ପ୍ରକାରର ମାରଣାସ୍ତ୍ର ପ୍ରଦର୍ଶନ କରାଯିବ ନାହିଁ ଏବଂ ଡିଜେର ଶବ୍ଦ ସୀମା ୬୫ ଡେସିବେଲ ମଧ୍ୟରେ ରଖିବାକୁ ପଡିବ। ବାଇକ ଶୋଭାଯାତ୍ରାରେ ଟ୍ରିପଲ ରାଇଡିଂ ଓ ଷ୍ଟଣ୍ଟ ପ୍ରଦର୍ଶନକୁ ମଧ୍ୟ ବାରଣ କରା ଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପୋଲିସ ପକ୍ଷରୁ ଡ୍ରୋନ୍ କ୍ୟାମେରା ସହ ଚେନ୍ ସ୍ନାଚିଂ ରୋକିବା ପାଇଁ ଆଣ୍ଟି-ସ୍ନାଚିଂ ସ୍କ୍ୱାଡ୍ ମୁତୟନ କରାଯିବ। ପ୍ରଶାସନ ପକ୍ଷରୁ ନିରବଚ୍ଛିନ୍ନ ଜଳ ଯୋଗାଣ, ବିଦ୍ୟୁତ ସେବା ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ମଧ୍ୟ ସୁନିଶ୍ଚିତ କରାଯିବ ବୋଲି ଜଣା ପଡ଼ିଛି। ଏହା ସହ ପ୍ରତ୍ୟେକ କମିଟିକୁ ସେମାନଙ୍କ ସ୍ୱେଚ୍ଛାସେବୀ ମାନଙ୍କ ତାଲିକା ପ୍ରଶାସନଙ୍କ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଧାର୍ମିକ ପତାକା ଗୁଡ଼ିକୁ ସମ୍ମାନ ଜନକ ଭାବେ ବିସର୍ଜନ କରିବାକୁ ମଧ୍ୟ ଗୁରୁତ୍ୱ ଦିଆ ଯାଇଥିଲା।

