ଝାରସୁଗୁଡ଼ା ରୁ କଲମ୍ବୋ ,ଶ୍ରୀଲଙ୍କାରେ ଉଡ଼ିବ ତ୍ରିରଙ୍ଗା ଆନ୍ତର୍ଜାତୀୟ କ୍ରୀଡ଼ା ମଇଦାନରେ ଚମକିବେ ଓଡ଼ିଆ ପୁଅ ଆୟୁଷ
ଝାରସୁଗଡ଼ା ୧୦/୩ (ଓଡ଼ିଶା ନ୍ୟୁଜ): ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। ଝାରସୁଗୁଡ଼ା ଜିଲ୍ଲାର ପ୍ରତିଭାବାନ ଯୁବ ଖେଳାଳି ଆୟୁଷ ସା ଏବେ ବିଦେଶ ମାଟିରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ଓଡ଼ିଶା ଗୋଲ୍ ସଫ୍ଟ ବଲ୍ ଆସୋସିଏସନର ଏହି ଷ୍ଟାର୍ ଖେଳାଳି ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇ ଝାରସୁଗୁଡ଼ା ସମେତ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।
ଆସନ୍ତା ୨୨ ତାରିଖ ଦିନ ଆୟୁଷ ଭାରତୀୟ ଦଳ ସହ ସାମିଲ ହେବେ । ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଠାରେ ଆୟୋଜିତ ହେବାକୁ ଯାଉଛି ‘ପ୍ରଥମ ଦକ୍ଷିଣ ଏସିଆ ଆନ୍ତର୍ଜାତୀୟ ଗୋଲ୍ ସଫ୍ଟ ବଲ୍ ଚାମ୍ପିଅନସିପ୍’। ଏହି ପ୍ରତିଯୋଗିତା ଏପ୍ରିଲ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଏସିଆର ବିଭିନ୍ନ ଦେଶର ଖେଳାଳି ମାନେ ଭାଗ ନେଉଥିବା ବେଳେ ଆୟୁଷ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ଆୟୁଷଙ୍କ ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ଓଡ଼ିଶା ଗୋଲ୍ ସଫ୍ଟ ବଲ୍ ଆସୋସିଏସନର ସଭାପତି ତଥା ପୂର୍ବତନ ସାଂସଦ ଡଃ ପ୍ରଭାସ କୁମାର ସିଂହ ଓ ସମ୍ପାଦକ ପ୍ରଭାକର ଶିଙ୍କା ଉଭୟେ ଆୟୁଷଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆସୋସିଏସନର ଅନ୍ୟ ସଦସ୍ୟ ତଥା ଝାରସୁଗୁଡ଼ା ଜିଲ୍ଲାବାସୀ ମଧ୍ୟ ଆୟୁଷଙ୍କୁ ଉତ୍ସାହିତ କରିବା ସହ ସେ ବିଜୟୀ ହୋଇ ଫେରିବେ ବୋଲି ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।
ସୁଚନା ଯୋଗ୍ୟ ଯେ, ଆୟୂଷ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ପିଥିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଲିଗି ଗ୍ରାମର ଡିଲେଶ୍ୱର ସା ଓ ଭାରତୀ ଙ୍କ ସୁପୁତ୍ର । ବର୍ତ୍ତମାନ ଆୟୁଷ ବରଗଡ଼ ଜିଲ୍ଲା ବରପାଲି ସ୍ଵାମୀ ବିବେକନନ୍ଦ ମହା ବିଦ୍ୟାଳୟରେ କଳା ବିଭାଗର ଯୁକ୍ତଦୁଇ ଶ୍ରେଣୀର ଅଧ୍ୟୟନରତ । ଏକ ସାଧାରଣ ପରିବାରରୁ ଆସି ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆଜି ଜାତୀୟ ଦଳରେ ସ୍ଥାନ ପାଇଥିବା ଆୟୁଷ ଏବେ ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ତାଙ୍କ ବାପା ଡିଲେଶ୍ୱର ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁଅ ର କଲମ୍ବୋ ଯାତ୍ରା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷେ ବହୁତ କଷ୍ଟସାଧ୍ୟ ହୋଇ ପଡ଼ିଛି। ତେଣୁ ପୁଅର ଯାତାୟାତ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବାପା ଡିଲେଶ୍ୱର ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

