Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପୁର ଟୋଲ୍ ପ୍ଲାଜା ଅପସାରଣ ପାଇଁ ଉଠିଲା ଦାବିସାଂସଦଙ୍କୁ ଚିଠି ଲେଖିଲେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡ଼ଙ୍ଗୀ

ଝାରସୁଗୁଡ଼ା ୧୪/୩ (ଓଡ଼ିଶା ନ୍ୟୁଜ)ଝାରସୁଗୁଡ଼ା-କନକତୋରା ଏନଏଚ ୪୯ ରେ ଥିବା ଗୋବିନ୍ଦପୁର ଟୋଲ୍ ପ୍ଲାଜାକୁ ତୁରନ୍ତ ଅପସାରଣ କରିବା ପାଇଁ ଦାବି ଜୋର ଧରିଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ବରଗଡ଼ ସାଂସଦଙ୍କୁ ଏକ ପତ୍ର ଲେଖି ଜନ ସାଧାରଣଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି।
ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ଯେ, ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା ନିର୍ମିତ ଏହି ରାସ୍ତା ଅସମାପ୍ତ ଏବଂ ଅସୁରକ୍ଷିତ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ଠାରୁ ଜୋରଜବରଦସ୍ତି ଟୋଲ୍ ଆଦାୟ କରା ଯାଉଛି। ଏହି ଅଞ୍ଚଳର ରାସ୍ତା ଭିତ୍ତିଭୂମି ଅତି ନିମ୍ନ ମାନର ହୋଇ ଥିବାରୁ ଏହାକୁ ‘ଅନ୍ୟାୟ’ ଏବଂ ‘ଅନୈତିକ’ ବୋଲି ସେ ଦର୍ଶାଇଛନ୍ତି।
ବିଶେଷ କରି ରାଜପଥରେ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା ନାହିଁ। ଫଳରେ ରାତି ସମୟରେ ଯାତାୟାତ ବିପଦପୂର୍ଣ୍ଣ ହୋଇ ପଡ଼ିଛି ଏବଂ ପ୍ରତି ମାସରେ ଦୁର୍ଘଟଣା ମାନ ଘଟି ଅନେକ ନିରୀହ ଜୀବନ ଯାଉଛି। ଏହା ବ୍ୟତୀତ ଝାରସୁଗୁଡ଼ା-ବେଲପାହାଡ଼ ସେକ୍ସନରେ ରାସ୍ତାର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ବିଶେଷ କରି ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ମଧ୍ୟରେ ଥିବା ସଂକୀର୍ଣ୍ଣ ଇବ ବ୍ରିଜ୍ ଯୋଗୁଁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ରହୁଛି। ସେହିଭଳି ଏନଏଚଏଆଇ ନିୟମ ଅନୁସାରେ ଦୁଇଟି ଟୋଲ୍ ପ୍ଲାଜା ମଧ୍ୟରେ ଅତି କମରେ ୬୦ କିମି ଦୂରତା ରହିବା କଥା। ମାତ୍ର ଗୋବିନ୍ଦପୁର ଓ ଛତିଶଗଡ଼ର ଝଲମଲା ଟୋଲ୍ ପ୍ଲାଜା ମଧ୍ୟରେ ଦୂରତା ମାତ୍ର ୩୫ କିଲୋମିଟର, ଯାହାକି ସମ୍ପୂର୍ଣ୍ଣ ବେଆଇନ ଏବଂ ଟୋଲ୍ ପ୍ଲାଜା ନିକଟରେ ପାନୀୟ ଜଳ କିମ୍ବା ଶୌଚାଳୟ ଭଳି କୌଣସି ଅତ୍ୟାବଶ୍ୟକ ସୁବିଧା ନାହିଁ। ତେଣୁ ଏକ ଅସମାପ୍ତ ଓ ବିପଜ୍ଜନକ ରାଜପଥ ପାଇଁ ଟୋଲ୍ ଆଦାୟ କରିବା ସାଧାରଣ ଲୋକଙ୍କୁ ଶୋଷଣ କରିବା ସଦୃଶ ବୋଲି ଶ୍ରୀ ଷଡ଼ଙ୍ଗୀ ପତ୍ରରେ ଉଲ୍ଲେଖ କରିଛନ୍ତି। ଯେ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ସୁରକ୍ଷା ବ୍ୟବସ୍ଥା ଠିକ୍ ହୋଇନାହିଁ, ସେ ପର୍ଯ୍ୟନ୍ତ ଟୋଲ୍ ଆଦାୟ ବନ୍ଦ ରଖିବାକୁ ସେ ସାଂସଦଙ୍କୁ ନିବେଦନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories