Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୨ ରୁ ଭିକମପାଲିରେ ମା’ ବୁଢ଼ୀ ସମଲେଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଆଞ୍ଚଳିକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଓ ଦାୟିତ୍ଵ ବଣ୍ଟନ

ଝାରସୁଗୁଡ଼ା ୧୪/୦୩ (ଓଡ଼ିଶା ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଗ୍ରାମରେ ନବନିର୍ମିତ ଅଞ୍ଚଳର ଆରାଧ୍ୟା ଦେବୀ ମା’ ବୁଢ଼ୀ ସମଲେଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭିକମପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଆଞ୍ଚଳିକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଉତ୍ସବକୁ ଶୃଙ୍ଖଳିତ ଓ ସଫଳ ଭାବେ ପରିଚାଳନା କରିବା ପାଇଁ ଅଞ୍ଚଳବାସୀ ଓ ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟରେ ବିଭିନ୍ନ ଦାୟିତ୍ଵ ବଣ୍ଟନ କରା ଯାଇଥିଲା। ବୈଠକରେ ଉତ୍ସବ ସମ୍ପର୍କିତ ଅନେକ ମୁଖ୍ୟ ବିଷୟରେ ଆଲୋଚନା ହୋଇଥିଲା।
ଚଳିତ ମାର୍ଚ୍ଚ ୨୨ ତାରିଖରୁ କଳସ ଯାତ୍ରା ସହ ଯଜ୍ଞ ଓ ପୂଜାର୍ଚ୍ଚନାର ଶୁଭାରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ସମୟ ନିର୍ଘଣ୍ଟ ମଧ୍ୟ ଚୂଡ଼ାନ୍ତ କରା ଯାଇଛି । ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା, ଅତିଥି ସତ୍କାର, ଅନ୍ନ ପ୍ରସାଦ ପ୍ରସ୍ତୁତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୃଥକ ପୃଥକ କମିଟି ଗଠନ କରା ଯାଇ ଦାୟିତ୍ଵ ବଣ୍ଟନ ପାଇଁ ଯାଇଥିଲା।
ଏହାସହ ଉତ୍ସବ ସମୟରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳ, ପ୍ରସାଦ ବଣ୍ଟନ ସହ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ପାଇଁ ବିଶେଷ ବ୍ୟବସ୍ଥା କରା ଯିବାକୁ ନିଷ୍ପତ୍ତି ହୋଇଛି। ମା’ ବୁଢ଼ୀ ସମଲେଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଅତ୍ୟାବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
ବୈଠକରେ ରେଙ୍ଗାଲି ଥାନାର ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ମଧ୍ୟ ଯୋଗଦେଇ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସମସ୍ତ ଅଞ୍ଚଳବାସୀଙ୍କୁ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ଆଜିର ବୈଠକରେ ଭିକମପାଲି ତଥା ଅତାବିରା, ପଞ୍ଚଗାଁ, ମଚିଦା,ପଲସଦା, କତରବଗା, ଜାମଗାଁ ଏବଂ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାର ଜୁଲୁମବାହାଲ ଓ ଆଙ୍କେଲବିରା ଗ୍ରାମ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ଏବଂ ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଗୌରୀ ଶଙ୍କର ବିଶି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିବ କାଲୋ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories