ଏସସିବି ଆଇସିୟୁ ଅଗ୍ନିକାଣ୍ଡ ଘଟଣା : ୧୫ ଦିନ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ
କଟକ, ୧୭|୩, କଟକ ବଡ ମେଡିକାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା | ଏହି ଘଟଣାକୁ ଗୁରୁତର ସହିତ ନେଇଛି ଜାତୀୟ ମାନବାଧିକାର କମିଶନ । ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛି | ତେବେ ୧୫ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲରେ ନିଆଁ ଲାଗିବା ନେଇ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନର ସଦସ୍ୟ ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ଟ୍ରମା କେୟାର ସେଣ୍ଟରର ପ୍ରଥମ ମହଲାରେ ଥିବା ଆଇସିୟୁରେ ସର୍ଟସର୍କିଟ୍ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା | ଯେଉଁଥିରେ ୧୨ ଜଣ ମୃତ୍ୟୁ ବରଣ କରିଥିଲେ ଏବଂ ଏକାଧିକ ଆହତ ହୋଇଥିଲେ | ସେତେବେଳେ ସେଠାରେ ୨୩ ଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ରହି ଥିଲେ। ତେବେ ହସ୍ପିଟାଲ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଅବ୍ୟବସ୍ଥା ଏବଂ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଉଦ୍ଧାର କାର୍ଯ୍ୟ ସମୟରେ ସ୍ପ୍ରିଙ୍କଲର ସମୟରେ କାମ ନକରିବାରୁ ଅଗ୍ନି ନିର୍ବାପନ କାର୍ଯ୍ୟ ବିଳମ୍ବ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହା ମାନବାଧିକାରର ଗୁରୁତର ଉଲ୍ଲଙ୍ଘନ ବୋଲି ଉଲ୍ଲେଖ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଏହାସହିତ ଏହି ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଏବଂ ଆହତଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ଅଧିକାରୀ ମିଳିତ ଭାବେ ମେଡିକାଲର ବିଭିନ୍ନ ୱାର୍ଡରେ ଯାଞ୍ଚ କରିଛନ୍ତି ।

