Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ ବିବାଦ ; ମାମଲାର ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ

କଟକ,୧୭|୩: ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ କୁ ନେଇ ସୃଷ୍ଟି ହୋଇଛି ବିବାଦ । କିଛିଦିନ ହେଲା ଏହି ବିବାଦ ସମ୍ପର୍କିତ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି | ଆଉ ଏବେ ଏହି ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଛି | ଏହି ଘଟଣାର ସ୍ପଷ୍ଟ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ ହୋଇଛି । ଦିଲ୍ଲୀରେ ବିଜୁ ନବୀନ ଇନସପିରେସନାଲ୍ ଫାଉଣ୍ଡେସନର ଗଠନ ଓ ଏହାର ପାଣ୍ଠି ସଂଗ୍ରହକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି | ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ବଢିଛି | ଏହି ଟ୍ରଷ୍ଟର କାର୍ଯ୍ୟକଳାପରେ ସ୍ୱଚ୍ଛତା ନାହିଁ ଏବଂ ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି ବୋଲି କୁହାଯାଉଛି | ଏନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର କରାଯାଇଛି । ତେବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିବଶଙ୍କର ମହାନ୍ତି ଏହି ଆବେଦନ କରିଛନ୍ତି ବୋଲି ସୂଚନା ମିଳିଛି ।

ସୂଚାନଯୋଗ୍ୟ, ଏହି ଟ୍ରଷ୍ଟର ସଭାପତି ଭାବେ ଭି. କାର୍ତ୍ତିକେୟ ପାଣ୍ଡିଆନ, ସମ୍ପାଦକ ଭାବେ ସଂତୃପ୍ତ ମିଶ୍ର ଏବଂ ଅନ୍ୟତମ ଟ୍ରଷ୍ଟି ଭାବେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ରହିଛନ୍ତି । ଆବେଦନକାରୀଙ୍କ ସୂଚନା ଅନୁସାରେ, ଏହା ଏକ NGO ସଂସ୍ଥା କିନ୍ତୁ ଏହି ଫାଉଣ୍ଡେସନ ଏକ ନିର୍ଦ୍ଦିଷ୍ଟ ଆଞ୍ଚଳିକ ରାଜନୈତିକ ଦଳ ସହ ଘନିଷ୍ଠ ଭାବେ ଜଡ଼ିତ ରହିଛି । ଆବେଦନକାରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତିଯେ, ରାଜ୍ୟସଭା ନିର୍ବାଚନ ସମୟରେ ଏହି ଟ୍ରଷ୍ଟ ହଠାତ୍ ଚର୍ଚ୍ଚା ପରିସରକୁ ଆସିଥିଲା ।ଏହାସହିତ ନିର୍ବାଚନ ସତ୍ୟପାଠରେ ଏହି ଟ୍ରଷ୍ଟ ସହ ଜଡ଼ିତ ଥିବା ତଥ୍ୟକୁ ଲୁଚାଯାଇଥିବା ସନ୍ଦେହ କରାଯାଉଛି । ବେସରକାରୀ ସଂସ୍ଥାଗୁଡ଼ିକଠାରୁ ରାଜନୈତିକ ପ୍ରତିପତ୍ତି ବିସ୍ତାର ପାଇଁ ଅର୍ଥ ସଂଗ୍ରହ କରିବା ନିମନ୍ତେ ଏହି ଟ୍ରଷ୍ଟକୁ ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଉଥିବା ଆଶଙ୍କା କରାଯାଇଛି ।

ତେବେ ଦାଖଲ ଆବେଦନରେ କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଅପରାଧ ଶାଖା ବା EOW ଦ୍ୱାରା ଏକ ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି । ଅର୍ଥନୈତିକ ଅପରାଧ ଶାଖା (EOW) ଏକ ସ୍ୱତନ୍ତ୍ର ସଂସ୍ଥା ଯାହା ପଞ୍ଜି ସ୍କିମ୍, ବ୍ୟାଙ୍କ ଠକେଇ, ଜମି ଠକେଇ ଏବଂ ଚାକିରି ଠକେଇ ସମେତ ଉଚ୍ଚ-ପଦବୀ ସମ୍ପନ୍ନ ଆର୍ଥିକ ଅପରାଧର ତଦନ୍ତ ଉପରେ ଧ୍ୟାନ ଦିଏ। ତେବେ ଆବେଦନରେ ଟ୍ରଷ୍ଟର ଆର୍ଥିକ କାରବାର ଓ ଡୋନେସନ ସମ୍ପର୍କିତ ଏକ ଫୋରେନସିକ ଅଡିଟ୍ ମଧ୍ୟ କରାଯିବା ପାଇଁ ଦାବି ହୋଇଛି । ରାଜନୈତିକ କିମ୍ବା ନିର୍ବାଚନୀ ସମୟରେ ଟ୍ରଷ୍ଟର ଅର୍ଥ ବ୍ୟବହାର ହେଉଛି କି ନାହିଁ ତାହାର ଯାଞ୍ଚ ମଧ୍ୟ ଯାଞ୍ଚ ହେଉ । ଏହି ଘଟଣାରେ ରାଜ୍ୟ ସରକାର, ପୋଲିସ ମହାନିର୍ଦ୍ଦେଶକ, ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପକ୍ଷଭୁକ୍ତ କରାଯାଇଛି । ତେବେ ଆଗାମୀ ଦିନରେ ଏହି ମାମଲା ସମ୍ପର୍କରେ କୋର୍ଟ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ