କେଲୋ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
କେଲୋ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଝାରସୁଗୁଡ଼ା ୨୦/୩ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପିଥିଣ୍ଡା ଗ୍ରାମ ପଞ୍ଚାୟତର ନନ୍ଦପାଲି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇ ଦିନ ଧରି ନିଖୋଜ ଥିବା ଯୁବକ ପୂର୍ଣ୍ଣ ପଧାନ (୨୪)ଙ୍କ ମୃତଦେହ ଆଜି ଅପରାହ୍ନରେ କେଲୋ ନଦୀରୁ ଭାସମାନ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ନନ୍ଦପାଲି ଗ୍ରାମର ପୂର୍ଣ୍ଣ ପଧାନ ଗତ ୧୭ ତାରିଖ ସନ୍ଧ୍ୟାରୁ ହଠାତ୍ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ତେବେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ କେଲୋ ନଦୀ ପାଣିରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଏହା ପୂର୍ଣ୍ଣଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ଆଜି ସନ୍ଧ୍ୟା ହୋଇ ଯାଇଥିବାରୁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ । ମୃତ୍ୟୁ ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

