ବାହାରେ ଅଭିଯୁକ୍ତକୁ ଧରିବାକୁ ଜଗିଥିଲା ପୋଲିସ;ଆପାର୍ଟମେଣ୍ଟ ଭିତରୁ ମିଳିଲା ଝୁଲନ୍ତା ମୃତଦେହ
ପିପିଲି, ୨୦ା୩: ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ମାଟିଆପଡା ଅଞ୍ଚଳରୁ ଏକ ଆପାର୍ଟମେଣ୍ଟର ଘର ଭିତରୁ ଜଣେ ଅଭିଯୁକ୍ତର ଝୁଲନ୍ତା ମୃତଦେହ ମିଳିଥିଲା । ମୃତକଙ୍କ ନାମ ସୁଧାଂଶୁ ଭୂଷଣ ବେହେରା ଏବଂ ସେ କଟକ ଜିଲ୍ଲାର ଅଧିବାସିନ୍ଦା ବୋଲି ଜଣାପଡିଛି। ସେ ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ମାଟିଆପଡାଠାରେ ସେହି ଆପାର୍ଟମେଣ୍ଟରେ ଭଡାରେ ରହୁଥିଲେ | ତେବେ ତାଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୬ଟି ମାମଲା ଥିବା ଜଣାପଡିଛି |
ସୂଚନା ଅନୁସାରେ, ଭୁବନେଶ୍ୱର ମହିଳା ଥାନାରେ ଉକ୍ତ ଅଭିଯୁକ୍ତଙ୍କ ନାମରେ ଏକ ଅଭିଯୋଗ ରହିଥିଲା | ଅଭିଯୋଗ ମାମଲାରେ ତାକୁ ଧରିବା ପାଇଁ ମହିଳା ଥାନା ପୁଲିସ ଓ ପିପିଲି ପୁଲିସ ମିଳିତ ଭାବେ ବୁଧବାର ରାତିରେ ଉକ୍ତ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲେ। ଲିଭ୍ ଇନ୍ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ପହରା ଦେଇଥିଲେ କିନ୍ତୁ ଘର ଭିତରେ ଆତ୍ମହତ୍ୟା କରିଦେଲେ ଯୁବକ।ସେ ଆତ୍ମହତ୍ୟା ପୂର୍ବରୁ ତାଙ୍କର ଶେଷ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ପୋଲିସ ନ୍ୟାୟ ଦେଇପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ତେବେ ପ୍ରେମ ପ୍ରତାରଣାକୁ ନେଇ ସୁଧାଂଶୁ ଆତ୍ମହତ୍ୟା କରିଥିବା ପୋଲିସ କହିଛି।
ପୋଲିସ ସୂଚନା ଅନୁସାରେ , ସୁଧାଂଶୁଙ୍କ ସହିତ ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା | ଦୁହେଁ ଲିଭ ଇନ୍ରେ ରହିଆସୁଥିଲେ। ଯୁବତୀ ତାଙ୍କୁ ବିବାହ କରିବାକୁ କହି ୮ଲକ୍ଷ ଟଙ୍କା ଠକି କରି ନେଇଥିବା ସୁଧାଂଶୁ ଅଭିଯୋଗ କରିଥିଲେ। ସେ ଯୁବତୀଙ୍କ ବିରୋଧରେ ଏତଲା ଦେବା ଉଦ୍ଦେଶ୍ୟରେ ପିପିଲି ଥାନାଠୁ ଆରମ୍ଭ କରି ଶହୀଦନଗର ଥାନା ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଯାଇଥିଲେ । ଅନ୍ୟପଟେ, ଯୁବତୀ ଜଣଙ୍କ ପିପିଲି ଥାନାରେ ସୁଧାଂଶୁଙ୍କ ନାମରେ ଏକ ମାମଲା ଓ ଭୁବନେଶ୍ୱର ମହିଳା ଥାନାରେ ଏକ ବଳାତ୍କାର ମାମଲା ରୁଜୁ କରି ଶୁଧାଂଶୁଙ୍କୁ ସମସ୍ୟାରେ ଛନ୍ଦି ଦେଇଥିଲେ |
ଅଭିଯୋଗ ପରେ ବୁଧବାର ମହିଳା ଥାନା ପୋଲିସ ସୁଧାଂଶୁଙ୍କୁ ଗିରଫ କରିବା ପାଇଁ ସେ ରହୁଥିବା ଗୁଡ଼ିଆପୋଖରୀ ନିକଟ ଆପାର୍ଟମେଣ୍ଟରେ ପହଞ୍ଚିଥିଲା । ପୋଲିସକୁ ଦେଖି ସୁଧାଂଶୁ ଘର ଭିତରେ କବାଟ କିଳି ଦେଇଥିଲେ। କିଛି ସମୟ ପରେ ପୋଲିସ କବାଟ ତାଡ଼ି ଦେଖିଲା ବେଳକୁ ସେ ଫାଶ ଲଗାଇ ଆତ୍ମହତ୍ୟା କରି ସାରିଥିଲେ । ଆତ୍ମହତ୍ୟା ଘଟଣା ପରେ , ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା (ନଂ. ୯/୨୬) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି | ତେବେ ଦୁହେଁ ଲିଭ୍ ଇନ୍ରେ ରିଲେସନରେ ରହିଆସୁଥିବାବେଳେ ଗତ ଜାନୁଆରୀରୁ ପରସ୍ପର ଅଲଗା ହୋଇ ରହୁଥିଲେ | ଏନେଇ ପିପିଲି ଥାନା ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।

