Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଖାଳ ଦିବସରେ ପଖାଳର ବିଶ୍ୱ ରେକର୍ଡ

ଭୁବନେଶ୍ୱର,୨୧|୩: ପଖାଳ କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ସ୍ୱତନ୍ତ୍ର ପରିଚୟ । ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପଖାଳ ଦିବସର ମୂଳ ଲକ୍ଷ୍ୟ | ସେଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଏ | ପ୍ରତିଟି ଓଡ଼ିଆ ଏହାକୁ ଅତି ଆନନ୍ଦର ସହ ପାଳନ କରିଥାଆନ୍ତି| କେବଳ ଯେ ଓଡ଼ିଶାରେ ନୁହେଁ ଦେଶ ବିଦେଶ ରେ ମଧ୍ୟ ପଖାଳ ପ୍ରଚାର ପ୍ରସାର ହୋଇଛି | ବାହାରେ ରହୁଥିବା ପ୍ରତିଟି ଓଡ଼ିଆ ପଖାଳ ଦିବସକୁ ଏକ ପର୍ବ ଭଳି ପାଳନ କରିଛନ୍ତି | ତେବେ ଗତକାଲି ପଖାଳ ଦିବସ ଅବସରରେ ଭୁବନେଶ୍ୱରରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହା ପ୍ରଥମେ ଉସ୍ଚୁକତା ବଢ଼ାଇଦେଲା, ପରେ ଆଣିଦେଲା ଖୁସିର ଲହରୀ । ଏକ ବିଶାଳ ପାତ୍ରରେ ପ୍ରସ୍ତୁତ ହେଲା ଓଡ଼ିଆଙ୍କ ପ୍ରିୟ ପାରମ୍ପରିକ ଖାଦ୍ୟ ପଖାଳ । କିଛି ସମୟ ପରେ ଆସିଲା ବଡ଼ ଖବର; ଓଡ଼ିଶା ଟୁରିଜିମ ପକ୍ଷରୁ ପ୍ରସ୍ତୁତ ଏହି ୧,୧୭୪ କିଲୋଗ୍ରାମ ପଖାଳ ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସ ସୃଷ୍ଟି କରିଛି । ପଖାଳ ଦିବସରେ ଏହି ସଫଳତା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଛି ।

ଏହି ଖବର ପ୍ରସାରିତ ହେବା ପରେ ଏବେ ସମଗ୍ର ରାଜ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ପଖାଳ କେବଳ ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଆ ଘରର ଭାବନା, ପରମ୍ପରା ଓ ସଂସ୍କୃତିର ପରିଚୟ । ସେଥିପାଇଁ ଗତକାଲିର ଏହି ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସ ପ୍ରତ୍ୟେକ ଓଡ଼ିଆ ପାଇଁ ଦୁଇଗୁଣା ଖୁସି ଆଣିଦେଇଛି । ପଖାଳ ଦିବସରେ ପଖାଳରେ ବିଶ୍ୱ ରେକର୍ଡ ସୃଷ୍ଟି ହେବା ନିଶ୍ଚୟ ଓଡ଼ିଶାର ଖାଦ୍ୟ ଐତିହ୍ୟକୁ ଆଉ ଉଜ୍ଜ୍ୱଳ କରିଛି ।

ପଖାଳ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆ, ମାଲେସିଆ, ବାହାରିନ, ସିଙ୍ଗାପୁର ସମେତ ୧୫ଟି ରାଜ୍ୟରୁ ଆଭାସି ମାଧ୍ୟମରେ ଯୋଡି ହୋଇଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ କଥା ହୋଇଥିଲେ। ବିଶ୍ବ ଓ ରାଷ୍ଟ୍ରୀୟସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁକ୍ରବାର ସେଠାରେ ପ୍ରସ୍ତୁତ ପଖାଳ ଅବହେଳିତ ସମ୍ପ୍ରଦାୟର ୨୦୦୦ରୁ ଅଧିକ ଲୋକଙ୍କୁ ଦିଆଯାଇଥିଲା। ପ୍ରାୟ ୩୨୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଦି ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ