ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ! ଧର୍ମ ପରିବର୍ତ୍ତନ କଲେ ମିଳିବନି ଏସସି/ଏସଟି ମାନ୍ୟତା
ନୂଆଦିଲ୍ଲୀ , ୨୪|୩: ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି | ଆଜି ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, ଅନୁସୂଚିତ ଜାତି (SC) ମାନ୍ୟତା କେବଳ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମର ବ୍ୟକ୍ତି ବିଶେଷଙ୍କ ପାଇଁ ଉପଲବ୍ଧ ହେବ । ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ଓ ସେହି ଧର୍ମ ଅନୁସାରେ ଜୀବନଯାପନ କରିବା ପରେ ତାଙ୍କୁ ଆଉ ”ଅନୁସୂଚିତ ଜାତି ଓ ଜନଜାତି” ବର୍ଗରେ ଶ୍ରେଣୀଭୁକ୍ତ କରାଯାଇପାରିବ ନାହିଁ |
ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ କାଏମ ରଖି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ କହିଛନ୍ତିଯେ, ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶ, ୧୯୫୦ ଅନୁଯାୟୀ କେବଳ ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କଲେ ଅନୁସୂଚିତ ଜାତିର ସମସ୍ତ ସାମ୍ବିଧାନିକ ସୁବିଧା ଓ ସୁରକ୍ଷା ତୁରନ୍ତ ଶେଷ ହୋଇଯିବ। ଏହି ନିୟମ ଅତ୍ୟନ୍ତ କଠୋର ଏବଂ ଏଥିରେ କୌଣସି ବ୍ୟତିକ୍ରମ ପାଇଁ ସ୍ଥାନ ନାହିଁ ବୋଲି କୋର୍ଟ କହିଛନ୍ତି | କୌଣସି ବ୍ୟକ୍ତି ଏହି ତିନୋଟି ଧର୍ମରୁ ଅନ୍ୟ କୌଣସି ଧର୍ମ, ଯେପରିକି ଖ୍ରୀଷ୍ଟିଆନ କିମ୍ବା ଇସଲାମକୁ ଧର୍ମାନ୍ତରିତ କରନ୍ତି, ତେବେ ସେମାନେ ସେମାନଙ୍କର ଅନୁସୂଚିତ ଜାତି ମାନ୍ୟତା ତୁରନ୍ତ ହରାଇବେ।
ଏହି ମାମଲା ଜଣେ ”ପାଦ୍ରୀ”(ଧର୍ମଗୁରୁ)ଙ୍କ ସହ ଜଡ଼ିତ ଥିଲା, ଯିଏ ଦୀର୍ଘ ବର୍ଷ ଧରି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ | ଏବଂ ସେହି ଧର୍ମ ଅନୁସାରେ ନିଜକୁ ଅନୁସୂଚିତ ଜାତି ବୋଲି ଦାବି କରି ଏସସି/ଏସଟି ଅତ୍ୟାଚାର ନିରୋଧ ଅଧିନିୟମ ଅଧୀନରେ ଏକ ମାମଲା ଦାୟର କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରି କହିଛନ୍ତି ଯେ, ଯେହେତୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଦୀର୍ଘ ବର୍ଷ ଧରି ଜଣେ ପାଦ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି ଏବଂ ଖ୍ରୀଷ୍ଟଧର୍ମର ରୀତିନୀତି ପାଳନ କରୁଛନ୍ତି, ତେଣୁ ସେ ଅନୁସୂଚିତ ଜାତି ବର୍ଗର ସୁରକ୍ଷା ପାଇବାକୁ ଯୋଗ୍ୟ ନୁହଁନ୍ତି।

