ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଗଲା ୧୧ ବର୍ଷ ନାବାଳକର ଜୀବନ
ଭୁବନେଶ୍ୱର,୨୪|୩; କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କର ରୋଗୀ ପ୍ରତି ଅବହେଳା ଅଭିଯୋଗ । ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଏକ ୧୧ ବର୍ଷ ନାବାଳକର ଜୀବନ ଚାଲିଯାଇଛି | ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କ୍ୟାପିଟାଲ ହସ୍ପିଟାଲରୁ । ଘଟଣା ପରେ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି କାଳୁପଡ଼ା ଗାଁରୁ ଏକ ପରିବାର ରୋଗୀକୁ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଥିଲେ । ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ଷ୍ଟାଫ୍ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ୧୧ ବର୍ଷର ନାବାଳକ ସାଇର ଜୀବନ ଚାଲିଯାଇଛି ।
ସୂଚନା ଅନୁସାରେ, ଏଗାର ବର୍ଷର ନାବାଳକ ସାଇ ଗତକାଲି ସାଇକେଲ ଚଲାଉଥିବା ବେଳେ ସାଇକେଲରୁ ଖସି ତଳେ ପଡ଼ି ଯାଇଥିଲେ । ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ପାଖରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲ୍ ରେ ଆଣି ଭର୍ତ୍ତି କରିଥିଲେ ପରିବାର ଲୋକେ | କିନ୍ତୁ ସେଠାରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଦେବା ପାଇଁ ବାଳକର ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I ସାଇଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି | ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛି I ପୂର୍ବତନ ବିଧାୟକ ସୁରେଶ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି I

