ଆତ୍ମସମର୍ପଣ କଲା ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁର; ମୁଣ୍ଡ ଉପରେ ଥିଲା ୫୫ ଲକ୍ଷର ପୁରସ୍କାର ରାଶି
ଫୁଲବାଣୀ,୨୪।୩: ମାଓଗଡ଼ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି | ଆଦର୍ଶଗତ ଲଢ଼େଇ ବାହାନାରେ ଜଙ୍ଗଲ ଭିତରେ ଲୁଚି ଲୁଚି ହିଂସା ଭିଆଉଥିବା ଏହି ସଂଗଠନ ଧୀରେ ଧୀରେ ମୂଳପୋଛ ହେବାରେ ଲାଗିଛି । ଆଜି ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁର କରିଛନ୍ତି ଆତ୍ମସମର୍ପଣ । କନ୍ଧମାଳ ପୋଲିସ ପାଖରେ ଏକେ-୪୭ ସହ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ତାଙ୍କୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେ କନ୍ଧମାଳରେ ବେଶ ସକ୍ରିୟ ରହିଥିଲେ | ଏଇଟ୍ଥ କମ୍ପାନୀ ନାଁରେ ଏକ ନୂଆ ସଂଗଠନ ମଧ୍ୟ ଚଳାଇଥିଲେ।
ଅନ୍ୟପକ୍ଷେ, ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଡେଡ୍ଲାଇନ୍ ଧାର୍ଯ୍ୟ ହୋଇଛି। ସେପଟେ ମୋଷ୍ଟ ୱାଣ୍ଟେଡ ଟପ୍ ମାଓବାଦୀ ନେତା ପାପା ରାଓ ଆଜି ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଏପରିକି ତାଙ୍କ ସହ ଅନ୍ୟ ୧୭ ଜଣ ଟପ୍ ମାଓବାଦୀ ନେତା ମଧ୍ୟ ଆତ୍ମସମର୍ପଣ କରିଥିବା ଜଣାପଡିଛି।
ତେବେ ମାଓ ନେତା ପାପା ରାଓ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସକ୍ରିୟ ରହି ମାଓବାଦୀ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଥିଲେ | ୨୦୧୦ରେ ଦନ୍ତେୱାଡାରେ ହୋଇଥିବା ମାଓବାଦୀ ଆକ୍ରମଣରେ ୭୬ଜଣ ସିଆରପିଏଫ ଯବାନ ଶହୀଦ ହେବା ସହ ଅନେକ ଆହତ ହୋଇଥିଲେ। ଏହି ଘଟଣାରେ ମାଓବାଦୀ ନେତା ପାପା ରାଓଙ୍କ ସମ୍ପୃକ୍ତି ରହିଥିବା କଥା କୁହାଯାଉଛି |
ଅପରପକ୍ଷର, ତାଙ୍କ ସ୍ତ୍ରୀ ଉର୍ମିଲା ମଧ୍ୟ ସକ୍ରିୟ ଏବଂ ପ୍ରଭାବଶାଳୀ ମାଓବାଦୀ ନେତା ଥିଲେ। ୨୦୨୫ ନଭେମ୍ୱର ୧୩ରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ସୁରକ୍ଷା ବାହିନୀଙ୍କ ଏନ୍କାଉଣ୍ଟରରେ ଉର୍ମିଲା ଙ୍କ ମୃତ୍ୟୁ ହୋଇଥିଲା ।

