ମଦ, ବିୟରର ମୂଲ୍ୟ ଉପରେ ପଡିପାରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ପ୍ରଭାବ!
ନୂଆଦିଲ୍ଲୀ,୨୫ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ଓ ଗ୍ୟାସ୍ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ଭାରତରେ ଏକ ବଡ ସଙ୍କଟ ଦେଖା ଦେଇଛି | ଖାଉଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ପଡିଛି ଗୁରୁତର ପ୍ରଭାବ। ଗ୍ୟାସ୍ ଏବଂ ପେଟ୍ରୋଲିୟମଜାତ ସାମଗ୍ରୀ ଉପରେ ନିର୍ଭର କରୁଥିବା ଅଧିକାଂଶ ଶିଳ୍ପାନୁଷ୍ଠାନ ବନ୍ଦ ହେବାକୁ ବସିଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି କ୍ରମରୁ ବାଦ ପଡ଼ିନାହାନ୍ତି ଭାରତରେ ମଦ ପ୍ରସ୍ତୁତ କରୁଥିବା ବ୍ରିଓ୍ବେରି କମ୍ପାନୀ | ସେମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ଗ୍ୟାସ୍ ଅଭାବରୁ ମଦ ପାଇଁ ଉଦ୍ଦିଷ୍ଟ କାଚ ବୋତଲ ଏବଂ କ୍ୟାନ୍ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ବଜାରରେ ମଦ ଯୋଗାଣ ହ୍ରାସ ପାଇବା ସହ ମୂଲ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା ବଢିଛି ।
ତେବେ ଗ୍ୟାସ୍ ଅଭାବକୁ ନେଇ ଏବେ କାଚ ବୋତଲ ଉତ୍ପାଦନରେ ସମସ୍ୟା ଦେଖାଦେବା ସହ ଉତ୍ପାଦନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଯାହାକୁ ନେଇ ବଜାରରେ ବିଭିନ୍ନ କମ୍ପାନୀର ମଦ ଉପଲବ୍ଧ କରାଇବା କଷ୍ଟକର ହୋଇପଡ଼ିଛି। ଯେଉଁ ବିୟର କ୍ୟାନରେ ଆସୁଥିଲା ସେହି କ୍ୟାନ୍ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। କ୍ୟାନ୍ ତିଆରି ପାଇଁ ଆବଶ୍ୟକ ରହିଥିବା ଆଲୁମିନିୟମ ବିଦେଶରୁ ଆମଦାନୀ କରିବା ଏବେ ସେତିକି ସହଜ ହେଉନାହିଁ। ଫଳରେ ଏବେ ଭାରତୀୟ ବଜାରରେ ମଦ ଏବଂ ବିୟର ମୂଲ୍ୟ ବୃଦ୍ଧି ପାଇବା ନେଇ ବ୍ରିୟୁର୍ସ ଆସୋସିଏଶନ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି | ମଦ ପ୍ରସ୍ତୁତି ପ୍ରକ୍ରିୟାରେ ଗ୍ୟାସ୍ର ଆବଶ୍ୟକତା ସବୁଠୁ ଅଧିକ ରହିଥାଏ। ଦେଶର ମୋଟ ଗ୍ୟାସ୍ ଚାହିଦା ମଧ୍ୟରୁ ୪୦ ଭାଗ କତାରରୁ ଆମଦାନୀ କରାଯାଇଥାଏ। କିନ୍ତୁ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମଦାନୀ ପ୍ରଭାବିତ ହୋଇଥିବାରୁ କାଚ ବୋତଲ ଉତ୍ପାଦନ ହ୍ରାସ ପାଇଛି। ଚାହିଦା ତୁଳନାରେ ଯୋଗାଣ କମ୍ ରହିଥିବାରୁ ବୋତଲର ପୂର୍ବ ମୂଲ୍ୟ ଅପେକ୍ଷା ୨୦ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ମଦ ମୂଲ୍ୟ ମଧ୍ୟ ପ୍ରାୟ ୧୨ ରୁ ୧୫% ବୃଦ୍ଧି ହୋଇପାରେ ବୋଲି ବ୍ରିୟୁର୍ସ ଆସୋସିଏଶନ ଅଫ୍ ଇଣ୍ଡିଆ ମହାନିର୍ଦ୍ଦେଶକ ବିନୋଦ ଗିରି ରଏଟର୍ସକୁ ସୂଚନା ଦେଇ କହିଛନ୍ତି। ସେହିପରି ସର୍ବାଧିକ ମଦ ବୋତଲ ଏବଂ କ୍ୟାନ୍ ଉତ୍ପାଦନ କରୁଥିବା ଉତ୍ତରପ୍ରଦେଶର ଫିରୋଜାବାଦସ୍ଥିତ ଫାଇନ୍ ଆର୍ଟ ଗ୍ଲାସ୍ ଓ୍ବାର୍କସ୍ର ସିଇଓ ନୀତିନ୍ ଅଗ୍ରଓ୍ବାଲ କହିଛନ୍ତିଯେ, “ଗ୍ୟାସ୍ ଅଭାବରୁ ଏବେ ତାଙ୍କ କାରଖାନାର ଉତ୍ପାଦନ ୪୦% ହ୍ରାସ ପାଇଛି। ଉତ୍ପାଦନ ହ୍ରାସ ଯୋଗୁ ବୋତଲ ମୂଲ୍ୟ ୧୭ ରୁ ୧୮ % ବୃଦ୍ଧି କରାଯାଇଥିବା ସେ କହିଛନ୍ତି।” ବର୍ତ୍ତମାନ ଗ୍ରୀଷ୍ମକାଳ ଆସିଯାଇଥିବାରୁ ବଜାରରେ ବିୟରର ଚାହିଦା ଯଥେଷ୍ଟ ବଢିବାର ରହିଛି | ମାତ୍ର ବୋତଲ ମୂଲ୍ୟ ବୃଦ୍ଧି ପାଇଁ ଏବେ ଗ୍ରାହକଙ୍କୁ ବିୟର କିଣିବାକୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ଭାରତରେ ମଦ ବ୍ୟବସାୟ ଦିନକୁ ଦିନ ବଢି ଚାଲିଛି। ୨୦୨୪ ସୁଦ୍ଧା ଭାରତରେ ମୋଟ ମଦ ବ୍ୟବସାୟ ପରିମାଣ ୭.୮ ବିଲିୟନ ଡଲାର ରହିଥିଲା ; ଯାହାକି ୨୦୩୦ ସୁଦ୍ଧା ଏହାର ୨ ଗୁଣ ହେବ ବୋଲି ଆକଳନ କରାଯାଇଛି।

