ନିଲମ୍ବିତ ପରେ ବି ବଦଳିନି ବିଜେଡି ନେତାଙ୍କ ଆସନ;
ଭୁବନେଶ୍ବର,୨୫|୩ : ସରିଛି ରାଜ୍ୟସଭା ନିର୍ବାଚନ | ବିଜୟୀ ପ୍ରାର୍ଥୀ ବି ଘୋଷଣା ହୋଇ ସାରିଛନ୍ତି | ଖାଲି ହୋଇଥିବା ୪ ଆସନ ପାଇଁ ନାମାଙ୍କନ ଭରିଥିବା ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪କୁ ମିଳିଛି ରାଜ୍ୟସଭା ଆସନ | ବିଜେପିରୁ ଶ୍ରୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ଆସନ ମିଳିଥିବା ବେଳେ ବିଜେଡିରୁ ସଂତୃପ୍ତ ମିଶ୍ରଙ୍କୁ ମିଳିଛି ତୃତୀୟ ଆସନ | ସେହିପରି ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥନରେ ଛିଡା ହୋଇଥିବା ଦିଲ୍ଲୀପ ରାୟ ବିଜେଡି ପକ୍ଷରୁ ନୋମିନେସନ ଭରିଥିବା ଦତ୍ତେଶ୍ୱର ହୋତାଙ୍କୁ ହରାଇ ଆସନକୁ ନିଜ ନାଁରେ କରିଛନ୍ତି | କିନ୍ତୁ ଏହି ନିର୍ବାଚନ ଯେତିକି ରୋଚକ ଥିଲା ସେତିକି ତାହା ଠାରୁ ଅଧିକ ବିବାଦପୂର୍ଣ ରହିଥିଲା | ନିର୍ବାଚନ ପରେ କ୍ରସ ଭୋଟିଂକୁ ନେଇ ଦଳୀୟ ନେତା ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନାପୂର୍ଣ୍ଣ ସ୍ଥିତି | କ୍ରସ ଭୋଟିଂ ନ ହେବା ପାଇଁ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ହ୍ୱିପ ଜାରି କରାଯାଇଥିଲା | ତା ସତ୍ତ୍ୱେ ମଧ୍ୟ ଏକାଧିକ ନେତା ଦଳୀୟ ନିର୍ଦ୍ଦେଶ ନ ମାନି କ୍ରସ ଭୋଟିଂ କରିଥିଲେ | ଏହାପରେ ଉଭୟ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ଅନେକ ନେତାଙ୍କୁ ନିଲମ୍ବନ କରାଯାଇଛି | କିନ୍ତୁ ବଡ କଥା ହେଲା ନିଲମ୍ବନ ପରେ ନେତାଙ୍କ ଆସନ ବଦଳି ନାହିଁ | ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି | କାରଣ ଏହା ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଥିବା ଦୁଇ ନେତା ଚମ୍ପୁଆରୁ ସନା ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଆସନ ବଦଳିଥିଲା | ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିଲା | ଆଉ ଏହାପରେ ସେମାନଙ୍କ ସିଟ ବଦଳି ଥିଲା | କିନ୍ତୁ ଏବେ ରାଜ୍ୟସଭା ନିର୍ଵାଚନ ପରେ ଏକାଧିକ ନେତା କ୍ରସ ଭୋଟିଂ କରିଥିବା ସତ୍ତ୍ୱେ ଦଳ ପକ୍ଷରୁ ସେମାନଙ୍କ ଆସନ ବଦଳିବାକୁ ନେଇ ବାଚଷ୍ପତ୍ତିଙ୍କୁ କୌଣସି ପ୍ରକାରର ଚିଠି ହୋଇନାହିଁ | ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |
ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇ ବିଜେଡିରୁ ୬ ବିଧାୟକ ନିଲମ୍ବିତ ହୋଇଛନ୍ତି | କିନ୍ତୁ ଏପର୍ଯ୍ୟନ୍ତ ବିଧାନସଭାରେ ସେମାନଙ୍କର ବଦଳିନି ଆସନ। ଫଳରେ ଏହି ବିଧାୟକମାନେ ବିଧାନସଭାକୁ ଆସୁ ନାହାନ୍ତି । ଅନ୍ୟପକ୍ଷରେ ନିଲମ୍ବନ ଓ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାରୁ ଥାନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାମରେ ଏତଲା ଦେବାକୁ ଏହି ବିଧାୟକମାନେ ପ୍ରସ୍ତୁତ ହେଉଛନ୍ତି ବୋଲି ଆଲୋଚନା ହେଉଛି | ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ପୂର୍ବରୁ ନିଲମ୍ବିତ ୨ ବିଧାୟକଙ୍କ ସମେତ ମୋଟ ୮ ବିଧାୟକ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇଥିଲେ। ବିଜେଡି ପକ୍ଷରୁ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଶୃଙ୍ଖଳା କମିଟି ଓ ରାଜନୈତିକ ବ୍ୟାପାର କମିଟି(ପିଏସି) ନିଷ୍ପତ୍ତି ମୁତାବକ ଦଳ ସଭାପତି ନବୀନ ପଟ୍ଟନାୟକ ୬ ବିଧାୟକଙ୍କୁ ଗତ ୨୧ ତାରିଖରେ ନିଲମ୍ବନ କରିଥିଲେ।
ବସ୍ତା ବିଧାୟିକା ସୁବାସିନୀ ଜେନା ,ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ତିର୍ତ୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ରହିଛନ୍ତି ଏହି ତାଲିକାରେ । ସେପଟେ ବିଜେଡି ପକ୍ଷରୁ ଆସନ ପରିବର୍ତ୍ତନ ନେଇ ବାଚସ୍ପତିଙ୍କୁ ଅବଗତ କରାଯାଇନି। ଯାହା ଫଳରେ ଆସନ ବଦଳି ପାରିନି। ସେହିପରି ଗତ ୧୭ ତାରିଖରେ କଂଗ୍ରେସ ୩ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଦଳରୁ ନିଲମ୍ବନ କରିଥିଲା। ନିଲମ୍ବିତ ବିଧାୟକଙ୍କ ଆସନ ପରିବର୍ତ୍ତନ ପାଇଁ ଦଳ ବାଚସ୍ପତିଙ୍କୁ କହିବାରୁ ପରେ ଆସନ ବଦଳିଥିଲା।
ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନରେ ସ୍ବାଧୀନ ଭାବେ ମତଦାନ କରିବାର ନିୟମ ଥିବାରୁ ମତଦାନକୁ ଆଧାର କରି କାରଣ ଦର୍ଶାଅ ନୋଟିସ, ହ୍ବିପ୍ ଓ ନିଲମ୍ବନକୁ ବିରୋଧ କରୁଛନ୍ତି ୬ ବିଧାୟକ। ସେଥିରୁ କିଛି ନେତା ଆଇନ ବିଶାରଦଙ୍କ ମତ ଲୋଡୁଥିବାବେଳେ ଆଉ କେତେକ ବରିଷ୍ଠ ନେତାଙ୍କ ପରାମର୍ଶ ନେଉଛନ୍ତି। ଅନ୍ୟପଟେ, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ କହିଛନ୍ତିଯେ, ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ୬ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ଖୁବ୍ଶୀଘ୍ର ସେମାନଙ୍କର ଆସନ ପରିବର୍ତ୍ତନ ପାଇଁ ଲେଖିକି ଦେବୁ।

