ଆଜିଠୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା;
ପୁରୀ, ୨୫|୩: ଆଜିଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାରର ଗଣତିମଣତି କାର୍ଯ୍ୟକ୍ରମ । ଏଥିପାଇଁ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଦଳ | ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ଅସୁବିଧା ସୃଷ୍ଟି ନ ହୁଏ ତାହାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଏସ୍ଓପି ପ୍ରସ୍ତୁତ ହୋଇଛି। ତେବେ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ଏହାକୁ ଓଜନ କରାଯିବ। ଅଳଙ୍କାର ଗୁଡିକର ଚିହ୍ନଟ ପାଇଁ ୨ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ଏହାସହିତ ଅଳଙ୍କାର ଗୁଡିକର ଡିଜିଟାଲ ଫଟୋଗ୍ରାଫି କରାଯିବ।
ତେବେ ଚିହ୍ନଟ, ଗଣତି ଓ ଓଜନ ପ୍ରକ୍ରିୟା ପରେ ସମସ୍ତ ସୁନା ଅଳଙ୍କାରକୁ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ଭାବେ ରଖାଯିବ। ଏଥିପାଇଁ ପ୍ରସ୍ତୁତ କରାଯାଇଛି ୬ଟି ସିନ୍ଦୁକ | ସୁନା ଅଳଙ୍କାର ହଳଦିଆ ରଙ୍ଗର କପଡ଼ା ଉପରେ ରଖି ବାକ୍ସରେ କ୍ରମାନ୍ବୟରେ ରଖିବା ପରେ ସିନ୍ଦୁକରେ ରଖାଯିବ। ଏହି ଗଣତିମଣତି ପ୍ରକ୍ରିୟାରେ ଶ୍ରୀମନ୍ଦିର ବଣିଆ, ସରକାରୀ ବ୍ୟାଙ୍କର ବଣିଆ, ଜେମୋଲୋଜିଷ୍ଟ, ଆରବିଆଇ ଅଧିକାରୀମାନେ ଗଣନାରେ ସାମିଲ ହେବାର ସୂଚନା ରହିଛି |
ଏହି ଗଣତିମଣତି ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ସମସ୍ତ ସେବକ, ନିୟୋଜିତ ଅଧିକାରୀ, ବ୍ୟକ୍ତିବିଶେଷ ତଥା ଭକ୍ତଗଣଙ୍କ ସହଯୋଗ କାମନା କରିଛନ୍ତି। ତେବେ ରତ୍ନଭଣ୍ଡାର ଗଣତି ମଣତି ବେଳେ ଶ୍ରୀବିଗ୍ରହଙ୍କ ନୀତି ସମ୍ପାଦନ ଅବ୍ୟାହତ ରହିବ। ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ପାଇଁ ପ୍ରବେଶ କରିପାରିବେ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଭିତରକାଠରୁ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଭକ୍ତମାନଙ୍କୁ କେବଳ ବାହାର କାଠ ନିକଟରୁ ଦର୍ଶନ ସୁବିଧା ମିଳିବା ନେଇ ସୂଚନା ଜାରି ହୋଇଛି |

