ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ସ୍ଥଳ ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ |
ଭୁବନେଶ୍ବର, ୨୭|୩: ଆଜିଠୁ ଭାରତୀୟ ସ୍ଥଳ ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ତିନି ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି | ଏହି ଗସ୍ତ ସମୟରେ ଭୁବନେଶ୍ବର, ପୁରୀ, ଗୋପାଳପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ସନ୍ଧ୍ୟାରେ ଜେନେରାଲ୍ ଦ୍ବିବେଦୀ ଭୁବନେଶ୍ବର ପହଞ୍ଚିବା ପରେ ୧୨୦ ବାଟାଲିଅନ ମୁଖ୍ୟାଳୟରେ ରାତ୍ରିଯାପନ କରିବେ। ଆସନ୍ତାକାଲି ପୁରୀ ଯାଇ ସୈନିକ ସଦନରେ ରହିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଗୋପାଳପୁରରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜ ଯିବେ | ସେଠାରେ ସେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ପ୍ରଶିକ୍ଷଣ କାର୍ଯ୍ୟ ମଧ୍ୟ ତଦାରଖ କରିବେ। ଗସ୍ତର ଶେଷ ଦିନ ଅର୍ଥାତ ୨୯ରେ ସେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର ସୂଚନା ରହିଛି ।

