ଆଜିଠୁ ଆରମ୍ଭ ହେବ ସାରା ଦେଶରେ ଜନଗଣନା ପ୍ରକ୍ରିୟା , ଘର ମୁଖିଆଙ୍କୁ ପଚରାଯିବ ୩୩ଟି ପ୍ରଶ୍ନ
ଭୁବନେଶ୍ୱର ,୧ | ୪ : ଆଜିଠୁ ସାରା ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ଦୀର୍ଘ ୧୪ ବର୍ଷ ପରେ ଦେଶରେ ହେବାକୁ ଯାଉଛି ଜନଗଣନା। ଏଥର ଜନଗଣନା ପୂର୍ବଠାରୁ ଟିକେ ଭିନ୍ନ | କାରଣ ଏଥର ଡିଜିଟାଲ ଭିତ୍ତିକରି ଜନଗଣନା ହେବ | ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ବାସଭବନରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା | ପ୍ରଥମ ପର୍ଯ୍ୟାୟରେ ହେବ ସେଲ୍ଫ ଏନୁମରେସନ ବା ସ୍ବ-ଗଣନା। ଏହା ଆଜିଠାରୁ ଆରମ୍ଭ ହୋଇ ୧୫ ତାରିଖ ରାତି ୧୨ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ଜଣେ ନାଗରିକ se.census.gov.in ପୋର୍ଟାଲରେ କିମ୍ବା ମୋବାଇଲ ଆପ ଜରିଆରେ ୩୩ ପ୍ରଶ୍ନର ଉତ୍ତର ଦେଇ ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବେ।
ଜନଗଣନା କାର୍ଯ୍ୟାଳୟ ପକ୍ଷରୁ ଏହି ୩୩ଟି ପ୍ରଶ୍ନ ଜାରି ହୋଇଛି । ଏହାପରେ ଏପ୍ରିଲ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାମାନଙ୍କରେ ଘରକୁ ଘର ବୁଲି ଘର ଗଣନା କରିବେ ଜନଗଣନାକାରୀ । ଏହି ସମୟରେ ଅଧିକାରୀଙ୍କୁ ଗୃହର ସମସ୍ତ ବିବରଣୀ ପ୍ରଦାନ କରିବେ। ସେଲ୍ଫ ଏନୁମରେସନ ବାଧ୍ୟତା ମୂଳକ ନହୋଇଥିଲେବି ଯେଉଁମାନେ ନିଜ ନିଜର ତଥ୍ୟ ଦେଇସାରିଥିବେ ସେମାନେ ଅଧିକାରୀମାନଙ୍କୁ କେବଳ ନିଜର ରେଫରେନ୍ସ ନମ୍ବର ଦେବେ। ଗଣନାକାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ଜନଗଣନା ନିର୍ଦ୍ଦେଶକ ।

