ଅବକାରୀ ବିଭାଗରୁ ୩.୬୭ କୋଟି ଟଙ୍କା ଆତ୍ମସାତ୍! ନଗଦ ୨୩ ଲକ୍ଷ ୪୬ ହଜାର ୫୦୦ ଟଙ୍କା ଜବତ
ସମ୍ବଲପୁର, ୪|୪: ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ୩.୬୭ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୩.୪୬ ଲକ୍ଷ ଟଙ୍କା ନଗଦ ଜବତ କରିଛି ପୋଲିସ | ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଊଛିଯେ, ଏହି ଅପରଧିକ କାର୍ଯ୍ୟକଳାପରେ ଅବସରପ୍ରାପ୍ତ ଏଏସ୍ଆଇଙ୍କ ସମ୍ପୃକ୍ତି ରହିଛି | ସମ୍ପୃକ୍ତ ଏଏସ୍ଆଇ ଜଣକ ଘଟଣା ପରେ ଫେରାର ହୋଇ ଯାଇଥିବା ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି | ଏନେଇ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭାମୁ ସୂଚନା ଦେଇଥିଲେଯେ, ସରକାରୀ ରାଜକୋଷ ସହ ସମ୍ପୃକ୍ତ ଏହି ଠକେଇ ନଭେମ୍ବର ୨୦୨୨ରୁ ଅକ୍ଟୋବର ୨୦୨୫ ମଧ୍ୟରେ ହୋଇଥିଲା । ଅଡିଟ ସମୟରେ ଏଭଳି ଅନିୟମିତତା ବିଷୟରେ ଜଣାପଡ଼ିବା ପରେ ଅବକାରୀ ବିଭାଗ ପକ୍ଷରୁ ଏତଲା ଦିଆଯାଇଥିଲା।
ସୂଚନା ଅନୁସାରେ, ପଶ୍ଚିମ ଓଡିଶା ଜିଲ୍ଲା ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ ହୋଇଥିବା କନିଷ୍ଠ ସହାୟକ ସନ୍ଦୀପ କୁମାର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ସହାୟକ ଉପନିରୀକ୍ଷକ ଶରତ ଚନ୍ଦ୍ର ବେହେରା ସରକାରଙ୍କ ଆଇଏଫ୍ଏମ୍ଏସ୍ ପୋର୍ଟାଲ ମାଧ୍ୟମରେ ଏକ ନକଲି ଜାଲ ମଞ୍ଜୁରୀ ଆଦେଶ ତିଆରି କରି ରାଜକୋଷରୁ ପେନସନ ଏବଂ ବକେୟା ପାଇଁ ଉଦ୍ଦିଷ୍ଟ ରାଶିରୁ ପ୍ରାୟ ୩.୬୭ କୋଟି ଟଙ୍କା ଉଠାଇଥିଲେ।
ଏହି ଘଟଣାରେ ପୋଲିସ ତଦନ୍ତ କରି ୨୩ ଲକ୍ଷ ୪୬ ହଜାର ୫୦୦ ଟଙ୍କା ଜବତ କରିଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ଉଭୟ ଅଭିଯୁକ୍ତଙ୍କର ୪୪ ଲକ୍ଷ ଟଙ୍କା ଫ୍ରିଜ୍ କରିଛି। ସମ୍ପୃକ୍ତ ଠକେଇ ମାମଲାରେ ସାମିଲ ହୋଇଥିବା ଅବସରପ୍ରାପ୍ତ ଏଏସ୍ଆଇ ଅଚ୍ୟୁତ ଦେହୁରୀଙ୍କ ସନ୍ଧାନ କରିବାକୁ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି |

