ଦଳ ବଦଳାଇବେ କି ରାଘବ ଚଡ୍ଡା!
ନୂଆ ଦିଲ୍ଲୀ, ୪/୪: ଦିଲ୍ଲୀ ରାଜନୀତିରେ ହଠାତ୍ ଏକ ନୂଆ ମୋଡ଼ ଆସିଛି । ଆମ୍ ଆଦମୀ ପାର୍ଟି ତାଙ୍କ ଯୁବ ନେତା ଏବଂ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଙ୍କୁ ଉପନେତା ପଦରୁ ହଟାଇବା ପରେ ସେ ପ୍ରଥମ ଥର ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏକ ଭିଡିଓ ମାଧ୍ୟମରେ ସୋସିଆଲ ମେଡିଆ ପ୍ଲାଟ୍-ଫର୍ମରେ ସେ ପ୍ରଶ୍ନ କରିଥିଲେ ଯେ, “ମୁଁ କ’ଣ ଭୁଲ କରିଛି?” ସେ ଏହା ମଧ୍ୟ କହିଛନ୍ତି ଯେ ସେ ସବୁବେଳେ ସାଧାରଣ ଲୋକଙ୍କ ସମସ୍ୟାକୁ ସଂସଦରେ ଉଠାଇଆସୁଥିଲେ, କିନ୍ତୁ ଏବେ ତାଙ୍କୁ ଚୁପ୍ କରାଯାଇଛି । ତଥାପି ସେ ସ୍ପଷ୍ଟ କରି କହିଛନ୍ତି ଯେ, “ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାରିନି” । ତାଙ୍କର ଏହି ଦୃଢ଼ ବକ୍ତବ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଘଟଣା ପରେ ଆପ୍ ଭିତରେ ମତଭେଦ ବଢୁଥିବା ଦେଖାଯାଉଛି, କିଛି ନେତା ତାଙ୍କ ଉପରେ “ସଫ୍ଟ ପିଆର୍” କରୁଥିବା ଓ ମୁଖ୍ୟ ମୁଦ୍ଦାରୁ ଦୂରେଇଯାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ, ତାଙ୍କ ସମର୍ଥକମାନେ ଏହାକୁ ଦଳ ଭିତରେ ଶକ୍ତି ସଂଘର୍ଷର ପରିଣାମ ବୋଲି କହୁଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଅନୁଗତ ଭାବେ ପରିଚିତ ରାଘବ ଚଡ୍ଡାଙ୍କ ଏଭଳି ହଠାତ୍ ପଦରୁ ହରାଇ ଦିଆଯିବା ଦଳର ଭିତରେ ହେଉଥିବା ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି । ବିଶ୍ଳେଷଜ୍ଞ ମାନଙ୍କ ମତ ଅନୁସାରେ, ବର୍ତ୍ତମାନର ପରିସ୍ତିତିକୁ ଦେଖିଲେ ଲାଗୁଛି ଯେ ଆଗକୁ ଦିଲ୍ଲୀର ରାଜନୀତିରେ ନୂଆ ପରିବର୍ତ୍ତନ ଆସିପାରେ । ତେବେ କ’ଣ ଆଗାମୀ ଦିନରେ ଦଳରେ ରହି ଆଗକୁ କାମ କରିବେ କି ରାଘବ ଚଡ୍ଡା ନା, ଅନ୍ୟ କୌଣସି ଦଳରେ ଯୋଗ ଦେବେ?

