ବଜାରରେ ମିଳୁନି LPG ଗ୍ୟାସ୍ , ଗ୍ୟାରେଜ୍ରୁ ୧୬୦ ସିଲିଣ୍ଡର ଜବତ!
ରାଉରକେଲା, 7|4: ସମଗ୍ର ଦେଶରେ ଗ୍ୟାସ୍ ର ଅଭାବ ଦେଖାଯାଉଥବା ବେଳେ ରାଉରକେଲାରେ ଲୁଚି ରହିଛି ଗ୍ୟାସ୍ ର କଳା ବଜାର୍ । ସହରର ସେକ୍ଟର-୯ ଅଞ୍ଚଳରେ ଥିବା ଏକ ଗ୍ୟାରେଜ୍ରେ ଚଢ଼ାଉ କରିବାବେଳେ ୧୬୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି ।ସୂଚନା ଅନୁସାରେ, ଏହି ଗ୍ୟାରେଜ୍ରେ ବିପୁଳ ପରିମାଣରେ କମର୍ସିଆଲ୍ ଓ ଘରୋଇ ଗ୍ୟାସ୍ ସିଲିଣ୍ଡର ଅବୈଧ ଭାବେ ରଖାଯାଇଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇ ରାଉରକେଲା ମହାନଗର ନିଗମ, ପୋଲିସ ଓ ତହସିଲ ପ୍ରଶାସନ ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଗ୍ୟାରେଜ୍ରୁ ବହୁ ସଂଖ୍ୟକ ସିଲିଣ୍ଡର ଜବତ ହେବା ସହିତ ଏକ ବଡ଼ ଅବୈଧ ଗ୍ୟାସ୍ ଭଣ୍ଡାର ଥିବା ଅନୁମାନ କରାଯାଉଛି । କିନ୍ତୁ ରେଡ୍ ସମୟରେ ଗ୍ୟାରେଜ୍ ମାଲିକ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିବା ଜଣାପଡ଼ିଛି ।ଅଧିକାରୀମାନେ ଏତେ ପରିମାଣର ସିଲିଣ୍ଡର କେମିତି ଏବଂ କାହିଁକି ସେଠାରେ ରଖାଯାଇଥିଲା ସେଥିପାଇଁ ତଦନ୍ତ ଆରମ୍ଭ କରିଛନ୍ତି । ଏହା ପଛରେ କୌଣସି ବଡ଼ ଗ୍ୟାସ୍ କଳାବଜାରୀ ର ସଂଯୋଗ ଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆସ୍ଥିରତା ସୃଷ୍ଟି ହୋଇଛି ।

