ଆଜିଠୁ ମହଙ୍ଗା ହେବ ଏୟାର ଇଣ୍ଡିଆର ଯାତ୍ରା!
ନୂଆଦିଲ୍ଲୀ,୭।୪: ଏୟାର ଇଣ୍ଡିଆ କମ୍ପାନୀ ବିମାନ ଯାତ୍ରୀମାନଙ୍କୁ ଏକ ବଡ ଝଟକା ଦେଇଛି । ମହଙ୍ଗା ହୋଇପାରେ ବିମାନ ଯାତ୍ରା ଭଡ଼ା । ତେବେ କମ୍ପାନୀ ୮ ଏପ୍ରିଲରୁ ଅର୍ଥାତ ଆଜିଠାରୁ ଏହାର ଇନ୍ଧନ ସରଚାର୍ଜ ଢାଞ୍ଚାରେ ପରିବର୍ତ୍ତନ ନେଇ ଘୋଷଣା କରିଛି | ଯାହା ଫଳରେ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟରେ ଟିକେଟର ମୂଲ୍ୟ ବୃଦ୍ଧି ପାଇବା ନେଇ ସ୍ପଷ୍ଟ ହେଉଛି | ରିପୋର୍ଟ ଅନୁସାରେ ୭ ଏପ୍ରିଲରେ ଏୟାର ଇଣ୍ଡିଆ ବିମାନ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଥିଲା | ଯେଉଁଥିରେ ଏୟାର ଇଣ୍ଡିଆ କହିଛି ଯେ, ବିଶ୍ୱବ୍ୟାପୀ ଜେଟ୍ ଇନ୍ଧନ (ATF) ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଘରୋଇ ବିମାନ ଉଡ଼ାଣ ପାଇଁ ଫ୍ଲାଟ୍ ରେଟ୍ ହଟାଇ ଦେଇଛି ଏହାସହିତ ଦୂରତା ଉପରେ ଆଧାରିତ ଏକ ନୂତନ ସରଚାର୍ଜ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ସରକାର ATF ମୂଲ୍ୟରେ ସର୍ବାଧିକ ବୃଦ୍ଧିକୁ ୨୫ପ୍ରତିଶତରେ ସୀମିତ ରଖିବାକୁ ଘୋଷଣା କରିବା ପରେ ଏହି ପରିବର୍ତ୍ତନ କରାଯାଇଛି ।
ତେବେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ଯେ, ଅନ୍ତର୍ଜାତୀୟ ରୁଟରେ ଇନ୍ଧନ ସରଚାର୍ଜ ମଧ୍ୟ ସଂଶୋଧନ କରାଯାଇଛି, ଯାହା ଟିକେଟ୍ ମୂଲ୍ୟ ଉପରେ ପ୍ରଭାବ ପକାଇପାରେ । ସାମଗ୍ରିକ ଭାବରେ, ଏୟାର ଇଣ୍ଡିଆ ସହିତ ବିମାନ ଯାତ୍ରା ୮ ଏପ୍ରିଲରୁ ଯାତ୍ରୀମାନଙ୍କ ପାଇଁ ମହଙ୍ଗା ହୋଇପାରେ, କାରଣ ଇନ୍ଧନର ବର୍ଦ୍ଧିତ ମୂଲ୍ୟ ସିଧାସଳଖ ବିମାନଯାତ୍ରାର ଭଡ଼ା ଉପରେ ପ୍ରଭାବ ପକାଇବ ।

