ନିଜ ଜନ୍ମଦିନରେ ଅନନ୍ତ ଅମ୍ବାନୀ କଲେ ବଡ଼ ଘୋଷଣା: କିସ୍ ର ଛାତ୍ର ଛାତ୍ରୀ ମାନଙ୍କୁ ରିଲାଏନ୍ସର ବିଭିନ୍ନ କମ୍ପାନୀରେ ମିଳିବ ନିଯୁକ୍ତିର ସୁଯୋଗ
ଭୁବନେଶ୍ୱର,୧୦|୪: : ଆଜି ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ | ଏହି ଅବସରରେ ଭୁବନେଶ୍ୱର ସ୍ଥିତ କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅନନ୍ତ ଅମ୍ବାନୀ | ତେବେ ୨୦୨୬ ବର୍ଷର ଚଳିତ ଶିକ୍ଷାବର୍ଷ ପାଇଁ କିସ୍ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି ଘୋଷଣା , କେଜିରୁ ପିଜି ସ୍ତର ପର୍ଯ୍ୟନ୍ତ ଶୀର୍ଷରେ ରହିଥିବା ଟପ୍ପରମାନଙ୍କୁ ବନ୍ୟପ୍ରାଣୀ କେନ୍ଦ୍ର ବନ୍ତାରା ପରିଦର୍ଶନ କରିବାର ସୁଯୋଗ ଆଦି ଘୋଷଣା କରାଯାଇଛି। ତେବେ ଅନନ୍ତ ଅମ୍ବାନୀଙ୍କ ଘୋଷଣା ଅନୁଯାୟୀ, ଏଣିକି ପ୍ରତିବର୍ଷ କିସ୍ର ୩୦ଜଣ ସ୍ନାତକଙ୍କୁ ରିଲାଏନ୍ସ ଗ୍ରୁପ୍ର ବିଭିନ୍ନ କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯିବ। ଏଭଳି ପଦକ୍ଷେପ ଦ୍ୱାରା ଜନଜାତି ଯୁବତୀଯୁବକଙ୍କ ପାଇଁ ଭବିଷ୍ୟତର କ୍ୟାରିୟର ପାଇଁ ଦିଗ ଖୋଲିବ। ଏହାସହିତ ଶିକ୍ଷାଗତ ଜ୍ଞାନକୁ ଆହୁରି ବୃଦ୍ଧିକରିବା ପାଇଁ କିସ୍ର ସମସ୍ତ ଛାତ୍ରୀଛାତ୍ରଙ୍କୁ ଅନନ୍ତ ଅତିରିକ୍ତ ଅଧ୍ୟୟନ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି। ଏପଟେ ଅନନ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ, ଖୁସି ଓ ଦୀର୍ଘ ଜୀବନ କାମନାକରି କିସ୍ ପିଲାମାନେ ଜଗତସିଂହପୁରର ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦୀପ ଜାଳି ପ୍ରାର୍ଥନା କରିବା ସହିତ ବେଦପାଠ ଜରିଆରେ ଅନନ୍ତଙ୍କୁ ଶୁଭକାମନା ଜଣାଇଥିଲେ।
ତେବେ ଏହି କାର୍ଯ୍ୟକ୍ରମରେ କେବଳ କିସ୍ ର ଭୁବନେଶ୍ୱର କ୍ୟାମ୍ପସର ଛାତ୍ର ଛାତ୍ରୀ ନୁହେଁ ବରଂ ଅନ୍ୟାନ୍ୟ ଜିଲ୍ଲା, ବଲାଙ୍ଗୀର, କଳାହାଣ୍ଡି, ବାରିପଦା ଓ ବାଲେଶ୍ୱର ଆଦି କ୍ୟାମ୍ପସ୍ର ଛାତ୍ରୀଛାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଏହି ଅବସରରେ ସନ୍ଧ୍ୟାରେ କିସ୍ର ୪୦ ହଜାର ବିଦ୍ୟାର୍ଥୀଙ୍କ ପାଇଁ ଅନନ୍ତଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ରାତ୍ରଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେଯେ, କିସ୍ ପିଲାଙ୍କ ପାଇଁ ଅନନ୍ତ ଯେଉଁ ସବୁ ଘୋଷଣା କରିଛନ୍ତି ତାହା ଦ୍ୱାରା ଛାତ୍ରୀଛାତ୍ରଙ୍କ ଆତ୍ମବିଶ୍ୱାସ ଓ ଭବିଷ୍ୟତ ସମ୍ଭାବନାକୁ ଉଜ୍ଜ୍ୱଳ କରିବ।

