Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ-ସ୍ତ୍ରୀ ଙ୍କ କଳହ ର ଲୋମ ହର୍ଷକ ପରିଣତି, ଦୁଇ ସନ୍ତାନଙ୍କୁ ହତ୍ୟା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା, ୧୨/୪ (ଓଡ଼ିଶା ନ୍ୟୂଜ): ଝାରସୁଗୁଡ଼ା ଜିଲ୍ଲା ବିମାନ ବନ୍ଦର ଥାନା ଅନ୍ତର୍ଗତ ଓରାମପଡ଼ାରେ ଏକ ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପାରିବାରିକ କଳହରୁ ଜଣେ ମା’ ନିଜର ଦୁଇ ନିଷ୍ପାପ ସନ୍ତାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଓରାମପଡ଼ା ନିବାସୀ ସୀତାରାମ ଓରାମ ଓ ରଞ୍ଜିତା ଓରାମ ଙ୍କର ୧୦ ବର୍ଷର ଝିଅ ଜିଜ୍ଞାସା ଓ ୫ ବର୍ଷର ପୁଅ ବିହାଂଶୁଙ୍କୁ ନେଇ ସୁଖର ସଂସାର ଥିଲା। ମାତ୍ର ସୀତାରାମଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ଦମ୍ପତିଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଶନିବାର ଏହି ବିବାଦ ଏକ ଭୟଙ୍କର ରୂପ ନେଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ରଞ୍ଜିତା କୌଶଳ କ୍ରମେ ସ୍ୱାମୀଙ୍କୁ ଶୌଚ ପାଇଁ ବାହାରକୁ ପଠାଇ ଘରର କବାଟକୁ ଭିତର ପଟୁ ବନ୍ଦ କରି ଦେଇଥିଲେ। ସେହି ସମୟରେ ନିଘୋଡ଼ ନିଦରେ ଶୋଇଥିବା ଦୁଇ ସନ୍ତାନଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିଲେ । ପରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରି ରଞ୍ଜିତା ଗୁରୁତର ହୋଇଥିଲେ।
ବାହାରେ ଥିବା ସୀତାରାମ ବହୁ ସମୟ ଧରି କବାଟ ପିଟିବା ପରେ ମଧ୍ୟ କେହି ନ ଖୋଲିବାରୁ, ସେ ନିଜ ଭାଇଙ୍କ ସହ ମିଶି ପଛ ପଟ ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୁଅ-ଝିଅ ଓ ସ୍ତ୍ରୀଙ୍କୁ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ ।
ଖବର ପାଇ ବିମାନ ବନ୍ଦର ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ରଞ୍ଜିତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଭିମସାର୍‌କୁ (VIMSAR) ସ୍ଥାନାନ୍ତର କରା ଯାଇଛି।
ଝାରସୁଗୁଡ଼ା ଏସପି ଜି. ରାଘବେନ୍ଦ୍ର ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରୁ ପ୍ରମାଣ ସଂଗ୍ରହ କରିଛନ୍ତି। ପାରିବାରିକ କଳହ ଓ ସ୍ୱାମୀଙ୍କ ପ୍ରତି ଥିବା ସନ୍ଦେହ ହିଁ ଏହି ଜଘନ୍ୟ କାଣ୍ଡର ମୁଖ୍ୟ କାରଣ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରା ଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ