Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ମହଙ୍ଗା ପଡି଼ବକି ସୋଫିଆଙ୍କୁ? ହରାଇବେକି ବିଧାୟକ ପଦ !

ଭୁବନେଶ୍ଵର, ୧୭ | ୪: କଂଗ୍ରେସରୁ ନିଲମ୍ୱିତ ହୋଇଥିବା ବାରବାଟୀ ବିଧାୟକ ସୋଫିଆଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି | ନିକଟରେ ମହମ୍ମଦ ମୋକିମଙ୍କ ଅଧୀନତ୍ଵରେ ଗଠନ ହୋଇଥିବା ଓଡ଼ିଶା ଜନତା କଂଗ୍ରେସର ଲଞ୍ଚିଂ କାର୍ଯ୍ୟକ୍ରମ ରହିଥିଲା | ଆଉ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଧାୟିକା ସୋଫିଆ | ଆଉ ଏହାପରେ ଆରମ୍ଭ ହୋଇଛି ଏକ ନୂଆ ଚର୍ଚ୍ଚା |
ଏବେ ଓଡିଶା ଜନତା କଂଗ୍ରେସର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନେଇ କଂଗ୍ରେସର ଟାର୍ଗେଟରେ ରହିଛନ୍ତି ସୋଫିଆ। ବାପା ମହମ୍ମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ଓଡ଼ିଶା ଜନତା କଂଗ୍ରେସ ପ୍ରତିଷ୍ଠା ମଞ୍ଚରେ, ସୋଫିଆ ସାମିଲ ହେବା ଓ ଭାଷଣ ଦେବାକୁ ନେଇ ନା ପସନ୍ଦ କରିଛି କଂଗ୍ରେସ।ଏନେଇ ବାଚସ୍ପତିଙ୍କୁ ସୋଫିଆଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପ୍ରମାଣ ସହ ଚିଠି ଲେଖିବ ବୋଲି କହିଛି କଂଗ୍ରେସ | ତେବେ କଂଗ୍ରେସ ପକ୍ଷରୁ ସୋଫିଆଙ୍କ ନାମରେ ଅନେକ ଅଭିଯୋଗ ରହିଛି |
ସୋଫିଆ ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳ ବିରୋଧୀ ବୟାନ ଦେବା, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ଦଳ ସହିତ ଵିଶ୍ଵାସଘାତ କରିବା, ଏବଂ କଂଗ୍ରେସରୁ ବହିଷ୍କୃତ ହୋଇଥିବା ମହମ୍ମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳର ସଭାରେ ସାମିଲ ହେବା ଆଦି ଅଭିଯୋଗ ରହିଛି ତାଙ୍କ ନାମରେ | ଆଉ ଏହି ସବୁ ଅଭିଯୋଗ ଆଧାରରେ ବାଚସ୍ପତିଙ୍କୁ ଚିଠି ଲେଖିବ କଂଗ୍ରେସ |
କିନ୍ତୁ ବାପାଙ୍କ ଦଳରେ ସାମିଲ ହେବା ଘଟଣାରୁ ଗୋଟେ କଥା ସ୍ପଷ୍ଟ ହେଉଛି ଯେ, ସୋଫିଆ ଆଉ କଂଗ୍ରେସ ସହ ନାହାଁନ୍ତି । ଏପଟେ ଦଶମ ଅନୁଚ୍ଛେଦ ଅନୁସାରେ ତାଙ୍କର ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖାଯିବ ବୋଲି କହିଛି କଂଗ୍ରେସ । ସେପଟେ କଟକ ନଗର କଂଗ୍ରେସ ଏହାକୁ କଡା ନିନ୍ଦା କରି ଏକ ପ୍ରସ୍ତାବ ପାସ କରିଛି। ଏହାସହିତ ସୋଫିଆ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ିବାକୁ ଆହ୍ବାନ ଦେଇଛି। କିନ୍ତୁ ଫିର୍ଦ୍ଦୋସ କହିଛନ୍ତି, “ସେ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ। ଓଜେସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ବାପାଙ୍କ ନୂଆ କାର୍ଯ୍ୟକ୍ରମ, ତେଣୁ ସେ ସାମିଲ ହୋଇଥିଲେ | ତେବେ ଦଳ ମୋତେ ନିଲମ୍ବିତ କରିଥିଲେ ବି ମୁଁ ଏବେବି ଦଳରେ ଅଛି ବୋଲି ସୋଫିଆ କହିଛନ୍ତି।
ଅନ୍ୟପଟେ, ମହମ୍ମଦ ମୋକିମ କହିଛନ୍ତି କି, ଦଳର ଲୋକାର୍ପଣ ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲୁ। ପ୍ରାୟ ସମସ୍ତେ ଆସିଥିଲେ, ସେମିତି ସୋଫିଆ ବି ଆସିଥିଲେ। କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାରରେ ସେ ଟିପ୍ପଣୀ କରିବେନି ବୋଲି କହିଛନ୍ତି। ତେବେ ଆଗକୁ ସୋଫିଆଙ୍କ ବିଧାୟକ ପଦ ରହିବ ନା ନାହିଁ ତାହା ବାଚସ୍ପତିଙ୍କ ଉପରେ ନିର୍ଭର କରେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ