ଜନଗଣନାକୁ ଯାଇ ଘରକୁ ଫେରି ନାହାନ୍ତି ଶିକ୍ଷୟିତ୍ରୀ ! ଗତ ୧୮ ତାରିଖରୁ ମିଳୁନି ପତ୍ତା
ମୟୁରଭଞ୍ଜ , ୨୦ |୪ : ଚଳିତ ମାସ ୧୬ରୁ ରାଜ୍ୟବ୍ୟାପୀ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି | ଆଉ ଏହି ଜନଗଣନା ପ୍ରକ୍ରିୟାରେ ମୁଖ୍ୟ ଭୂମିକା ବନିଛନ୍ତି ରାଜ୍ୟର ବିଭିନ୍ନ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ |ମୟୁରଭଞ୍ଜର ବାରିପଦାରୁ ଏଭଳି ଏକ ଅଭାବନୀୟ ଘଟଣା ଆସିଛି ଯେଉଁଠି ଜଣେ ଶିକ୍ଷୟତ୍ରୀ ଜନଗଣନା କରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି | ଗତ ଗତ ୧୮ ତାରିଖରୁ ନିଖୋଜ ରହିଛନ୍ତି ଶିକ୍ଷୟତ୍ରୀ । ସୂଚନା ଅନୁସାରେ, ଶିକ୍ଷୟତ୍ରୀ ଜଣଙ୍କ ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ୬ମାସ ତଳେ ନିଯୁକ୍ତି ପାଇଥିଲେ । ଶିକ୍ଷୟତ୍ରୀ ଜଣକ ଏକ ଘର ଭଡାରେ ନେଇ ରହୁଥିଲେ | ଏହି ନିଖୋଜ ଘଟଣାରେ ଭଡା ରହୁଥିବା ଘର ମାଲିକ ଏବଂ ଶିକ୍ଷୟତ୍ରୀଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ବାରିପଦା ସଦର ଥାନା ପୁଲିସ୍ ତଦନ୍ତ ଜାରି ରଖିଛି |
ତେବେ ନିଖୋଜ ଶିକ୍ଷୟିତ୍ରୀ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ଅଞ୍ଚଳର ନିବାସୀ | ସେ ଗତ ୧୮ ତାରିଖ ସକାଳୁ ଢେଙ୍କିନେଞ୍ଜିଆ ଗାଁକୁ ଜନଗଣନା ଉଦ୍ଦେଶ୍ୟରେ ବାହାରିଥିଲେ, ଆଉ ତା ପରେ ସେ ଘରକୁ ଫେରିନାହାନ୍ତି । ଅଭିଯୋଗ ପରେ, ପୋଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହ ସ୍ଥାନୀୟ ଅଞ୍ଚଳ ଏବଂ ଶିକ୍ଷୟତ୍ରୀଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଅନୁସନ୍ଧାନ କରିବା ଜାରି ରଖିଛି । ଶିକ୍ଷୟତ୍ରୀଙ୍କ ମୋବାଇଲ୍ ଫୋନ୍ ସୁଇଚ ଅଫ ବତାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଶିକ୍ଷୟିତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ । ପୋଲିସ ତଦନ୍ତ ଜାରି ରଖିଛି |

