ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଅଡୁଆରେ ଏସ୍ଡିପିଓ; ଅଶ୍ଳୀଳ ଫଟୋ ମାଗିବା ଏବଂ ଶାରୀରିକ ସମ୍ପର୍କ ରଖିବାକୁ ପକାଉଥିଲେ ଚାପ
ନୟାଗଡ଼,୨୧ା୪: ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସବ୍ଡିଭିଜନାଲ ପୋଲିସ ଅଫିସର (ଏସ୍ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ ବଦଳି ହୋଇଛି। ନୂଆ ଏସ୍ଡିପିଓ ନ ଆସିବା ଯାଏଁ ପୋଲିସ ମୁଖ୍ୟାଳୟର ଡିଏସ୍ପି ସୁଦୀପ୍ତ କୁମାର ସାହୁ ଏସ୍ଡିପିଓ ଭାବେ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି |
ସୂଚନାଯୋଗ୍ୟ , ଖଣ୍ଡପଡ଼ା ଏସ୍ଡିପିଓଙ୍କ ନାଁରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ଧମକ ଦେଉଥିବା ନେଇ ଏକ ଅଭିଯୋଗ ଆସିଥିଲା। ମହିଳା ଜଣକ ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍ ଆସି ଅଭିଯୋଗ କରିଥିଲେ। ଅଭିଯୋଗ ସମୟରେ ଏସ୍ଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍ ମଧ୍ୟ ମହିଳା ଜଣକ ଡିଜିପିଙ୍କୁ ଦେଇଥିଲେ । ସେହି ଅଡିଓରେ ଏସ୍ଡିପିଓ ଅଟୋରେ ଆସି ରାତିରେ ମହିଳା ଜଣକୁ ରହିବାକୁ କହୁଥିବା ଏବଂ ଶାରୀରିକ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି? ବୋଲି ପ୍ରଶ୍ନ କରୁଥିବାର ଶୁଣିବାକୁ ମିଳିଥିଲା। ତେବେ ଡିଜିପି ଓ୍ବାଇ. ବି. ଖୁରାନିଆ ଅଭିଯୋଗକୁ ଗ୍ରହଣ କରିବା ସହ ଘଟଣାର ସ୍ପଷ୍ଟ ଆଉ ନିରପେକ୍ଷ ତଦନ୍ତ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଏସ୍ପି ସୁବାସ ଚନ୍ଦ୍ର ପଣ୍ଡା ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏନେଇ ଫତେଗଡ଼ ଥାନାରେ ୧୨୦/୨୬ରେ ଗତ ୨୦ରେ ଏକ ମାମଲା ରୁଜୁ ହୋଇଥିଲା |
ତେବେ ଅଭିଯୋଗ ଅନୁଯାୟୀ , ମହିଳା ଜଣକ ଏକ ମାମଲା ନେଇ ଫତେଗଡ଼ ଥାନାକୁ ଯାଇଥିଲେ। ଏହାପରେ ଏସ୍ଡିପିଓ ଜଣକ ଉକ୍ତ ମାମଲାର ତଦନ୍ତ କରୁଥିବା କହି ତାଙ୍କଠାରୁ ମୋବାଇଲ ନମ୍ବର ନେଇଥିଲେ। ମହିଳାଙ୍କ ସ୍ବାମୀ ବାହାରେ କାର୍ଯ୍ୟରତ ଥିବାରୁ ସେ ମାମଲା ସମ୍ପର୍କରେ ଏସ୍ଡିପିଓଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। କିନ୍ତୁ ଏସ୍ଡିପିଓ ତଦନ୍ତ ବାହାନାରେ ବାରମ୍ବାର କାର୍ଯ୍ୟାଳୟକୁ ଡାକି ତାଙ୍କୁ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ | ଏହାଦ୍ୱାରା ମହିଳା ଜଣକ ମାନସିକ ଚାପରେ ରହୁଥିବା ନେଇ ଅଭିଯୋଗରେ କରିଥିଲେ । ଖାଲି ସେତିକି ନୁହେଁ ରାତି ୧୨ଟାରେ ଫୋନ୍ ଏବଂ ମେସେଜ କରି ତାଙ୍କ ସହ କଥା ହେବାକୁ ମଧ୍ୟ ବାଧ୍ୟ କରୁଥିଲେ ଏସ୍ଡିପିଓ । ଏହାସହିତ ଅଶ୍ଳୀଳ ଫଟୋ ମାଗିବା ଏବଂ ଶାରୀରିକ ସମ୍ପର୍କ ରଖିବାକୁ ଚାପ ମଧ୍ୟ ପକାଉଥିଲେ | ତାଙ୍କ ସହ କଥା ନ ହେଲେ କିମ୍ବା ଶାରୀରିକ ସମ୍ପର୍କ ନ ରଖିଲେ ମିଛ ମାମଲାରେ ଫସାଇ ସ୍ବାମୀଙ୍କୁ ଗିରଫ କରିବା ନେଇ ଧମକ ମଧ୍ୟ ଦେଇ ଆସୁଥିଲେ | ଏହାପରେ ମହିଳା ଜଣକ ବାରମ୍ବାର ତାଙ୍କ କଥାକୁ ବିରୋଧ କରିବା ସହିତ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ | କିନ୍ତୁ ଏସ୍ଡିପିଓ ତାଙ୍କ ପିଛା ଛାଡୁ ନ ଥିଲେ। ତେବେ ଏସ୍ଡିପିଓଙ୍କ ନିର୍ଯାତନା ଦିନକୁ ଦିନ ଅସହ୍ୟ ହେବାରୁ ମହିଳା ଜଣକ ଶେଷରେ ବାଧ୍ୟ ହୋଇ ସ୍ବାମୀଙ୍କୁ ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ । ପରେ ବାହାରେ ଚାକିରି କରୁଥିବା ସ୍ବାମୀ ଘରକୁ ଫେରି ପୂରା ଘଟଣା ଶୁଣିବା ପରେ ତାଙ୍କ ସହଯୋଗରେ ମହିଳା ଜଣକ ନ୍ୟାୟ ପାଇଁ ଡିଜିପିଙ୍କ ସହଯୋଗ ଲୋଡ଼ିଥିଲେ । ଘଟଣାର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତ ଏସ୍ଡିପିଓଙ୍କୁ ବଦଳି କିମ୍ବା ନିଲମ୍ବିତ କରିବାକୁ ମହିଳା ଜଣକ ନିବେଦନ କରିଥିଲେ। ଘଟଣାର ସ୍ପଷ୍ଟ ତଦନ୍ତ ନ ହେଲେ ଡିଜିପି ଅଫିସ ଆଗରେ ଆତ୍ମାହୁତି ଦେବାର ଧମକ ମଧ୍ୟ ଦେଇଥିଲେ।

