ସାଉଦି ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ ! ସୁଦାନ ସହ ୪୨ ହଜାର କୋଟିର ମେଗା ପ୍ରତିରକ୍ଷା ଚୁକ୍ତି କଲା ବାତିଲ
ନୂଆଦିଲ୍ଲୀ, ୨୧।୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏବେ ମିଳିଛି ଆଉ ଏକ ବଡ ଝଟକା । ସୁଦାନ ସହିତ ପାକିସ୍ତାନର ଚୁକ୍ତି ହୋଇଥିବା ୧.୫ ବିଲିୟନ ଡଲାର (ପ୍ରାୟ ୪୨ ହଜାର କୋଟି ପାକିସ୍ତାନୀ ଟଙ୍କା)ର ଏକ ବୃହତ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନକୁ ବାତିଲ କରିଦେଇଛି ପାକିସ୍ତାନ | ସାଉଦି ଆରବର ଚାପ ଏବଂ ଅନୁରୋଧ ଆଗରେ ମୁଣ୍ଡ ନୁଆଇଁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଏବଂ ଆନ୍ତର୍ଜାତୀୟ ରଣନୀତିକୁ ଦୃଷ୍ଟିରେ ରଖି ସାଉଦି ଆରବ ଏହି ଚୁକ୍ତି ପାଇଁ ପାଣ୍ଠି ଯୋଗାଇବାକୁ ମନା କରିଦେବା ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ, ପାକିସ୍ତାନୀ ସେନା ପକ୍ଷରୁ ସୁଦାନକୁ ନିଜର ଅତ୍ୟାଧୁନିକ ଜେଟ୍ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ପାଇଁ ଏକ ଚୁକ୍ତି କରିଥିଲା । ରଏଟର୍ସର ରିପୋର୍ଟ ମୁତାବକ , ଗତ ଜାନୁଆରୀ ମାସରେ ଏହି ଚୁକ୍ତି ଫାଇନାଲ ହୋଇଥିଲା । ପୂର୍ବରୁ ଭାରତ ସହ ସୀମା ବିବାଦ ସମୟରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ପ୍ରଣାଳୀର ପ୍ରଦର୍ଶନକୁ ଦେଖି ସୁଦାନ ଏହି ଚୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିଥିଲା । ସୂଚନାଯୋଗ୍ୟ , ସୁଦାନରେ ଗତ ପ୍ରାୟ ତିନି ବର୍ଷ ଧରି ସେନା ଏବଂ ଅର୍ଦ୍ଧସାମରିକ ବଳ ‘ରାପିଡ୍ ସପୋର୍ଟ ଫୋର୍ସେସ୍’ (RSF) ମଧ୍ୟରେ ଭୟଙ୍କର ସଂଘର୍ଷ ଜାରି ରହିଛି । ଆଉ ଏହି ଯୁଦ୍ଧ ଯୋଗୁଁ ବିଶ୍ୱର ସବୁଠାରୁ ବଡ଼ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ତେବେ ସୁଦାନରେ ସୁନାର ଉତ୍ପାଦନ ସବୁଠାରୁ ବେଶି ହୋଇଥାଏ | ତେଣୁ ସୁଦାନକୁ ନେଇ ବିଭିନ୍ନ ବିଦେଶୀ ଶକ୍ତିଙ୍କ ମଧ୍ୟରେ ସ୍ୱାର୍ଥ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରମାନେ ସାଉଦି ଆରବକୁ ଆଫ୍ରିକାରେ ଚାଲିଥିବା ଏହି ‘ପ୍ରକ୍ସି ୱାର୍’ ରୁ ନିଜକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ | ସାଉଦି ଆରବ ସୁଦାନ ସେନାକୁ ସମର୍ଥନ କରୁଥିବା ବେଳେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ବିରୋଧୀ ପକ୍ଷ RSFକୁ ସହାୟତା କରୁଥିବା ଅଭିଯୋଗ ହେଉଛି । ଏଭଳି ପରିସ୍ଥିତିରେ , ନିଜର ରଣନୀତିକୁ ପୁନଃ ସମୀକ୍ଷା କରିବା ପରେ ସାଉଦି ଆରବ ପାକିସ୍ତାନକୁ ଏହି ଚୁକ୍ତିରୁ ହଟିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏଥିପାଇଁ ଫଣ୍ଡିଂ ବନ୍ଦ କରିଦେଇଛି ।
ସାଉଦି ଆରବ ପାକିସ୍ତାନ ପାଇଁ ଏକ ବଡ ଆର୍ଥିକ ମେରୁଦଣ୍ଡ | ପାକିସ୍ତାନର ଦୁର୍ବଳ ଅର୍ଥନୀତି ସମୟରେ ସାଉଦି ସବୁବେଳେ ଋଣ ଏବଂ ସହାୟତା ପ୍ରଦାନ କରିଆସିଛି । ଦୁଇ ଦେଶ ମଧ୍ୟରେ ଏକ ‘ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’ ମଧ୍ୟ ରହିଛି । ତେଣୁ ସାଉଦିର ନିଷ୍ପତ୍ତିକୁ ପାକିସ୍ତାନ ଏଡ଼ାଇବା ସମ୍ଭବ ନଥିଲା । ତେବେ କେବଳ ସୁଦାନ ନୁହେଁ, ଲିବିଆର ‘ନ୍ୟାସନାଲ ଆର୍ମି’ ସହିତ ପାକିସ୍ତାନର ହୋଇଥିବା ୪ ବିଲିୟନ ଡଲାରର ଆଉ ଏକ ଚୁକ୍ତି ଉପରେ ମଧ୍ୟ ବନ୍ଦ ହେବା ନେଇ ଆଲୋଚନା କରାଯାଉଛି | ସାଉଦି ଆରବ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ନିଜର ରଣନୀତିରେ ପରିବର୍ତ୍ତନ କରୁଥିବାରୁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ରପ୍ତାନି ବ୍ୟବସାୟ ଏବେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି । ତେବେ ଏ ସମ୍ପର୍କରେ ପାକିସ୍ତାନୀ ସେନା କିମ୍ବା ସାଉଦି ସରକାର କୌଣସି ଅଧିକାରୀ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ | କିନ୍ତୁ ପାକିସ୍ତାନର ଏହି ଚୁକ୍ତି ବାତିଲ କରିବା ନିଷ୍ପତ୍ତି ଆଧାରରେ ପ୍ରମାଣିତ ହେଉଛି ଯେ, ପାକିସ୍ତାନ ନିଜର ବୈଦେଶିକ ନୀତି ଏବଂ ଆର୍ଥିକ ନିଷ୍ପତ୍ତି ପାଇଁ ଏବେ ସମ୍ପୂର୍ଣ୍ଣ ଭାବେ ସାଉଦି ଆରବ ଉପରେ ନିର୍ଭରଶୀଳ ରହିଛି ।

