ବିଏମସି ପକ୍ଷରୁ ମିଳିଥିବା ଘରକୁ ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ମେୟର ସୁଲୋଚନା ଦାସ
ଭୁବନେଶ୍ୱର, ୨୨।୪: ବିଏମସି ପକ୍ଷରୁ ମିଳିଥିବା ଘର ଯଦି କେହି ଭଡ଼ାରେ ଲଗାଇବେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ, ବିଏମସି( ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଶତାଧିକ ପରିବାରଙ୍କୁ ଲଟେରୀ ମାଧ୍ୟମରେ ଘର ବଣ୍ଟନ କରାଯାଇଛି। ରାଜଧାନୀର ଏକାମ୍ର ଭିଲ୍ଲା, ମା’ ଭଗବତୀ ବସ୍ତି, ସାଲିଆ ସାହି, ଭୋଇ ନଗର ଏବଂ ସରସ୍ୱତୀ ବସ୍ତିର ମୋଟ ୧୩୮ଟି ପରିବାରଙ୍କୁ ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ଆଫର୍ଡେବୁଲ ହାଉସିଂ ପ୍ରକଳ୍ପ ଜରିଆରେ ଗୃହ ପ୍ରଦାନ କରାଯାଇଛି। ଭୁବନେଶ୍ୱର ମେୟର, ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏବଂ କର୍ପୋରେଟରମାନେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରିଛନ୍ତି। ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବସ୍ତିବାସିନ୍ଦାଙ୍କୁ ଘର ସହ ସମସ୍ତ ପ୍ରକାର ସୁବିଧା ବିଏମସି ପକ୍ଷରୁ ଯୋଗାଇ ଦିଆଯାଉଛି। ଅନ୍ୟପଟେ, ବିଏମସି ପକ୍ଷରୁ ହିତାଧିକାରୀମାନଙ୍କୁ ମିଳୁଥିବା ଘରକୁ ଯେପରି କେହି ଭଡ଼ା ଆକାରରେ ନ ଲଗାନ୍ତି ସେଥିପ୍ରତି ରହିଛି ବିଏମସି କଡ଼ା ନଜର । ଯଦି କେହି ବ୍ୟକ୍ତି ଭଡ଼ା ଦେଇଥିବାର ଖବର ବିଏମସି ନଜରକୁ ଆସେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ଚେତାବନୀ ଦେଇଛନ୍ତି ।

