ନିଛୁକ ପ୍ରେମର ପ୍ରମାଣ ; ସ୍ତ୍ରୀର ଜୁଇ ପାଖରେ ଟଳିପଡିଲେ ସ୍ୱାମୀ !
ଆମ ସଂସ୍କୃତିରେ ସ୍ୱାମୀ ଆଉ ସ୍ତ୍ରୀର ସମ୍ପର୍କକୁ ସାତ ଜନ୍ମ ପାଇଁ ବନ୍ଧା ହୋଇଥିବା ପବିତ୍ର ସମ୍ପର୍କ ବୋଲି ମନାଯାଏ । ମୃତ୍ୟୁ ପରେ ବି ସେମାନଙ୍କ ସମ୍ପର୍କ ସାତ ଜନ୍ମ ପାଇଁ ରହିଥାଏ ବୋଲି ବିଶ୍ୱାସ କରାଯାଏ। ନିଛୁକ ଭଲ ପାଇବାର ଉଦାହରଣ ଆପଣ ଅନେକ ଦେଖିଥିବେ ତେବେ ଆଜି ଆମେ ଏଭଳି ଏକ କାହାଣୀ ବିଷୟରେ କହିବୁ ଯାହା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ୟ୍ଯ ଲାଗିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅଞ୍ଚଳରେ । କୁରୁଜଙ୍ଗା ପଞ୍ଚାୟତ ଶଙ୍କରପୁର ଗ୍ରାମର ଦମ୍ପତି କେତନବାଳା ସାହୁ ଓ ଗୋବିନ୍ଦ ଚନ୍ଦ୍ର ସାହୁ ମାତ୍ର ଘଣ୍ଟାଏ ମଧ୍ୟରେ ଡକାଡକି ହୋଇ ଆର ପାରିକୁ ଚାଲିଯିବା ଘଟଣା ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ୮୨ ବର୍ଷୀୟ ବୟସ୍କ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପତ୍ନୀ କେତନବାଳା (୭୨) ଅସୁସ୍ଥତା ହେତୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ହେଉଥିଲେ । ତେବେ ତିନି ଦିନ ତଳେ କେତନବାଳା ଘରକୁ ଫେରିଥିଲେ । ଆଉ ପରେ ମଙ୍ଗଳବାର ଅପରାହ୍ନରେ ହଠାତ୍ ପୁଣି ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଗଲା।
ଆଉ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହାପରେ କେତନବାଳାଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଓ ଆତ୍ମୀୟ ସ୍ୱଜନ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । କେତନବାଳାଙ୍କ ମୃତଦେହକୁ ଗାଁରେ ଥିବା ମଶାଣିକୁ ନିଆ ଯାଇଥିଲା। ଆଉ ତାଙ୍କୁ ମୁଖାଗ୍ନି ଦିଆଯିବାର ୩୦ ମିନିଟ୍ ମଧ୍ୟରେ ସ୍ୱାମୀ ଗୋବିନ୍ଦ ଚନ୍ଦ୍ର ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ପାଣି ଛିଞ୍ଚି ଚେତା କରେଇବାକୁ ଉଦ୍ୟମ କରିବା ଚେଷ୍ଟା ସତ୍ତ୍ୱେ ସେ ଆଉ ଉଠି ନଥିଲେ। ଶେଷରେ କିଛି ମିନିଟ୍ ଭିତରେ ସେ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ ।
ମାତ୍ର ୩୦ ମିନିଟ୍ ମଧ୍ୟରେ ଦମ୍ପତିଙ୍କ ଆଗ ପଛ ହୋଇ ଆରପାରିକୁ ଚାଲିଯାଇଥିବା ଘଟଣା ପରିବେଶକୁ ଶୋକାକୁଳ କରିଛି । ଗ୍ରାମ ଶ୍ମଶାନରେ ଦୁଇଟି ଜୁଇ ପାଖାପାଖି ଜଳିଥିବା ବେଳେ ସାନପୁଅ ରମାକାନ୍ତ ମୁଖାଗ୍ନି ଦେଇଥିଲେ । ସୂଚନାଯୋଗ୍ୟ, ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ପିତାମାତା ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ଓ ତାଙ୍କ ସ୍ତ୍ରୀ କେତନଵାଳା ।

