ଆମ୍ ଆଦମୀ ପାର୍ଟିରୁ ରାଘବ ଚଢ଼ାଙ୍କ ଇସ୍ତଫା; ୩ ସାଂସଦ ରାଘବ ଚଢ଼ା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ବିଜେପିରେ ମିଶିବେ
ଆମ୍ ଆଦମୀ ପାର୍ଟି (AAP) ଛାଡ଼ିଲେ ରାଘବ ଚଢ଼ା । ନିକଟରେ ରାଜ୍ୟସଭାର ଆପ୍ର ଉପନେତା ପଦରୁ ରାଘବ ଚଢ଼ାଙ୍କୁ ଦଳ ହଟାଇଥିଲା । ଏବେ ରାଘବ ଚଢ଼ା ଶୁକ୍ରବାର ଆମ୍ ଆଦମୀ ପାର୍ଟି ଛାଡ଼ିବା ସହ ବିଜେପିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ରାଘବ ଚଢ଼ାଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ । ରାଘବ ଚଢ଼ା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ଏବେ ଆପ୍ରୁ ରାଜ୍ୟସଭା ସାଂସଦ ଅଛନ୍ତି । ୩ ଜଣ ଆପ୍ ସାଂସଦ ଦଳ ଛାଡ଼ି ବିଜେପିରେ ମିଶିବାକୁ ଘୋଷଣା କରିଛନ୍ତି ।
ରାଘବ ଚଢ଼ା କହିଛନ୍ତି, “ରାଜ୍ୟସଭାରେ ଆପ୍ର ଦୁଇ ତୃତୀୟାଂଶ ସଦସ୍ୟ ଦଳ ଛାଡ଼ି ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛୁ ।” ରାଘବଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ଆପ୍ ଛାଡ଼ିଛନ୍ତି । ରାଘବଙ୍କ ସହ ସନ୍ଦୀପ ଓ ଅଶୋକ ବିଜେପିରେ ମିଶିବେ ।
ଦଳ ଛାଡ଼ିବା ସହ ଆମ୍ ଆଦମୀ ପାର୍ଟି ଉପରେ ଭୀଷଣ ବର୍ଷିଛନ୍ତି ରାଘବ ଚଢ଼ା । ସେ କହିଛନ୍ତି, “ଏବେ ଆମ୍ ଆଦମୀ ପାର୍ଟି ମୂଳ ଆଦର୍ଶ ସହ ନାହିଁ । ଯେଉଁ ଉଦ୍ଦେଶ୍ୟରେ ଦଳ ଗଠନ ହୋଇଥିଲା, ତାହାଠୁ ଏବେ ବହୁ ଦୂରରେ । ମୁଁ ଦଳଠୁ ଦୂରେଇ ଯାଉଛି, ଆହୁରି ଲୋକଙ୍କ ନିକଟତର ହେଉଛି ।”
ରାଘବ ଚଢ଼ା କହିଛନ୍ତି, “ଦଳର ଦୁଇ ତୃତୀୟାଂଶ ସାଂସଦ ଆମ ସହ ଅଛନ୍ତି । ହରଭଜନ ସିଂହ, ସ୍ଵାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ସନ୍ଦୀପ ପାଠକ, ବିକ୍ରମଜିତ ସାହନୀ ଓ ଅଶୋକ ମିତ୍ତଲଙ୍କ ସହ ଅନେକ ନେତା ଦଳ ଛାଡ଼ିବେ ।” ରାଜ୍ୟସଭାରେ ଆପ୍ ପାଖରେ ୧୦ ଜଣ ସାଂସଦ ଅଛନ୍ତି । ପଞ୍ଜାବର ୭ ଜଣ ଓ ଦିଲ୍ଲୀର ୩ ଜଣ । କିଛି ସମୟ ପରେ ରାଘବ ଚଢ଼ା, ସନ୍ଦୀପ ସିଂହ ଓ ଅଶୋକ ମିତ୍ତଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହେବେ ।

